ଅଯୋଧ୍ୟା,୧।୧ : ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କେବଳ ରାମ ଭକ୍ତଙ୍କ ପାଖକୁ ପଠାଯାଇଛି। ଏହା ବ୍ୟତୀତ ସେ ରାଜ୍ୟସଭା ଏମପି ସଞ୍ଜୟ ରାଉତଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଏଭଳି କରି ସେମାନେ ପ୍ରଭୁ ଶ୍ରୀରାମଙ୍କୁ ଅପମାନିତ କରିଛନ୍ତି। ଉଦ୍ଧବ କହିଥିଲେ ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିନାହିଁ।
ଗଣମାଧ୍ୟମ ସହ ଆଲୋଚନା ବେଳେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ’ଯେଉଁମାନେ ପ୍ରଭୁ ରାମଙ୍କ ଭକ୍ତ ଅଟନ୍ତି ସେମାନଙ୍କୁ ଆମନ୍ତ୍ରଣ ପଠାଯାଇଛି। ପ୍ରଭୁ ଶ୍ରୀ ରାମଙ୍କ ନାମରେ ଭାଜପା ନିର୍ବାଚନ ଲଢୁଛି ବୋଲି କହିବା ସମ୍ପୂର୍ଣ୍ଣ ଭୁଲ। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଆଡେ ସମ୍ମାନ ପାଉଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ବହୁତ କାମ କରିଛନ୍ତି । ଏହା ରାଜନୀତି ନୁହେଁ। ଏହା ହେଉଛି ତାଙ୍କର ସମର୍ପଣ। ଏହି କାରଣରୁ ସେ ସଞ୍ଜୟଙ୍କ ବିବୃତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଆଚାର୍ଯ୍ୟ କହିଛନ୍ତି, ’ସଞ୍ଜୟ ରାଉତ ଏତେ ଯନ୍ତ୍ରଣା ଭୋଗୁଛନ୍ତି ଯେ ସେ ଏହାକୁ ପ୍ରକାଶ ମଧ୍ୟ କରିପାରିବେ ନାହିଁ। ସେ ହିଁ ପ୍ରଭୁ ରାମଙ୍କ ନାମରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ଯେଉଁମାନେ ପ୍ରଭୁ ରାମଙ୍କୁ ବିଶ୍ୱାସ କରୁଛନ୍ତି, ସେମାନେ କ୍ଷମତାରେ ରହି କାହିଁକି ଏଭଳି ନିର୍ବୋଧ କଥା କହୁଛନ୍ତି? ସେମାନେ ଭଗବାନ ଶ୍ରୀ ରାମଙ୍କୁ ଅପମାନ କରୁଛନ୍ତି। ବାସ୍ତବରେ, ସଞ୍ଜୟ କହିଥିଲେ ବର୍ତ୍ତମାନ ଭାଜପା ପାଇଁ ବାକି ରହିଲା ପ୍ରଭୁ ଶ୍ରୀ ରାମଙ୍କୁ ଦଳୀୟ ପ୍ରାର୍ଥୀ କରିବା।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସରକାର ସେମାନଙ୍କର କାର୍ଯ୍ୟଳେୟକୁ ଅଯୋଧ୍ୟାକୁ ସ୍ଥାନାନ୍ତର କରିବା ଉଚିତ। ସେମାନେ କେବଳ ରାମଙ୍କ ନାମରେ ଭୋଟ ମାଗିବେ। କାରଣ ସେମାନେ ଅନ୍ୟ କିଛି କରିନାହାନ୍ତି ।