ଚିକିଟି ମଦ ମୃତ୍ୟୁ ମାମଲା, ଆଉ ଜଣେ ଗିରଫ: ମୁଖ୍ୟ ଅଭିଯୁକ୍ତଙ୍କଠୁ ମଦ ଆଣି…

ଚିକିଟି,୨୧।୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲାରେ ମଦ ମୃତ୍ୟୁ ବିଭୀଷିକା ଦେଖିବାକୁ ମିଳିଛି। ମଦ ମୃତ୍ୟୁ ଘଟଣାରେ କେ.ନୂଆଗାଁ ପୋଲିସ ଶୁକ୍ରବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ମାଉନ୍ଦପୁର ଗ୍ରାମର ରାଜେନ୍ଦ୍ର ସାହୁ। ମୁଖ୍ୟ ଅଭିଯୁକ୍ତଠାରୁ ରାଜେନ୍ଦ୍ର ମଦ ଆଣି ବିକ୍ରି କରୁଥିବା ଜଣାପଡିଛି। ପୂର୍ବରୁ ମଦମୃତ୍ୟୁ ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରିସାରିଛି।

ସୂଚନା ଯୋଗ୍ୟ, ଚିକିଟି ମଦମୃତ୍ୟୁ ଘଟଣାରେ ଆର୍‌ଡିସି ସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଚିକିଟି ମଦମୃତ୍ୟୁ ଘଟଣାରେ ଆର୍‌ଡିସିସ୍ତରୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦିନେ ଦୁଇଦିନ ଭିତରେ ତଦନ୍ତ ଆରମ୍ଭ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଆର୍‌ଡିସି ତଦନ୍ତର ରିପୋର୍ଟ ୨ ମାସ ମଧ୍ୟରେ ଆସିବ। ଏହି ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାର ଏହି ଘଟଣାକୁ ନେଇ କଠୋର ଅଛନ୍ତି ଓ ନିଷ୍ପତ୍ତି ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଗତ ୨୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ୨୧୭ ବେଆଇନ ମଦଭାଟି ଚିହ୍ନଟ କରାଯାଇଛି। ବେଆଇନ ମଦଭାଟିକୁ ବୁଲଡୋଜର ସାହାଯ୍ୟରେ ଉଡ଼ାଇ ଦିଆଯିବ। ଆସନ୍ତା ବର୍ଷେ ଭିତରେ ବେଆଇନ ମଦ କାରବାର ବନ୍ଦ କରାଯିବ ବୋଲି ସେ କହିଛନ୍ତି। ଚିକିଟି ମଦମୃତ୍ୟୁ ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ଓ ଏସ୍‌ଆଇ ପ୍ରସନ୍ନ କୁମାର ଜାଲିଙ୍କୁ ନିଲମ୍ବନ କରାଯାଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି।

 

Share