ପିଲାଙ୍କ ପାଖେ ପହଞ୍ଚିବ ବକୁଳ ବହି ବାଇକ୍‌

ଭୁବନେଶ୍ୱର,୯।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଏବେ ପିଲାମାନଙ୍କ ପାଖକୁ ୩ ଚକିଆରେ ଯିବ ପୁସ୍ତକ। ଏଥିପାଇଁ ବକୁଳ ଫାଉଣ୍ଡେଶନ ପକ୍ଷରୁ ରବିବାର ବକୁଳ ବହି ବାଇକ୍‌ର ଉଦ୍‌ଘାଟନ ହୋଇଯାଇଛି। ଅତିଥି ଭାବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଏମ୍‌ଏସ୍‌ ଅସ୍ବଥି ଏସ୍‌. ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବହି ବାଇକ୍‌ଟି ବକୁଳ ପାଠାଗାରରୁ ବାହାରି ଶାନ୍ତିନଗର ବସ୍ତି ପାଖକୁ ଯାଇଥିଲା। ସେଠାରେ ପ୍ରାୟ ୧ଘଣ୍ଟାର କାର୍ଯ୍ୟକ୍ରମ ରହିଥିଲା। ପିଲାମାନେ ମନ ଖୁସିରେ ଆସି ବାଇକ୍‌ ପାଖେ ପହଞ୍ଚିଥିଲେ। ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଛନ୍ତି, ଏହା ପଛରେ ଜଣେ ଆଇଟି ଇଞ୍ଜିନିୟରଙ୍କ ହାତ ରହିଛି। ସେ ହେଲେ ଆଲୋକ କୁମାର। ଦାନ ଉତ୍ସବ ଚାଲିଥିବାବେଳେ ପିଲାଙ୍କ ପାଇଁ ଏଭଳି ଏକ ଗିଫ୍ଟ ନିହାତି ଭାବେ ପ୍ରଶଂସନୀୟ। ଆଲୋକ ତାଙ୍କ ମା’ସାଧନା ସ୍ବାଇଁଙ୍କ ସ୍ମୃତିରେ ଏହାକୁ ପ୍ରସ୍ତୁତ କରିଛନ୍ତି। ଆଲୋକ କୁମାର କହିଛନ୍ତି, ବିଭିନ୍ନ କାରଣରୁ ସବୁ ପିଲାମାନେ ଲାଇବ୍ରେରୀ ଆସି ପାରୁନାହାନ୍ତି। ସେମାନଙ୍କ ପାଖେ କିଭଳି ପୁସ୍ତକ ପହଞ୍ଚତ୍ପାରିବ ସେଥିପାଇଁ ଏହା ପ୍ରସ୍ତୁତ କରାଯାଇଛି। ମୁଁ ବକୁଳରେ ୭ବର୍ଷ ହେବ ସ୍ବେଚ୍ଛାସେବୀ ଭାବେ କାମ କରୁଛି। ବର୍ଷେ ତଳରୁ ଏହା କରିବାକୁ ଚିନ୍ତା କରିଥିଲୁ। ମାତ୍ର ଏହି ମାସରେ ପ୍ରସ୍ତୁତି ସରିବା ପରେ ଏବେ ଉଦ୍‌ଘାଟନ ହେଲା। ଏହା ଏକ ଟ୍ରଲି ପରି। ପଛ ଭାଗକୁ ବାକ୍ସ ଭଳି କନଭର୍ଟ କରିଛୁ। ଥାକ ଭିତରେ ବିଭିନ୍ନ ପ୍ରକାର ବହି ରଖିଛୁ। ଯାହାର ଯେଉଁ ପୁସ୍ତକ ପସନ୍ଦ ସେ ତାହା ନେଇ ପଢ଼ିପାରିବେ। ଆଗକୁ ଏହା ଉପରେ ଅଧିକ କାମ କରିବୁ। ସପ୍ତାହରେ କୌଣସି ଗୋଟିଏ ଦିନ ଦେଖି ଆମେ ବସ୍ତିଗୁଡ଼ିକୁ ଯିବୁ।

Share