ଜିଲାରେ ଶିଶୁ ଭିକ୍ଷାବୃତ୍ତି ସମ୍ପୂର୍ଣ୍ଣ ବନ୍ଦ ହେବ

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଶିଶୁ ପାଇଁ ଦିନଟିଏ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଜିଲାସ୍ତରୀୟ ବାଲ୍ୟବିବାହ ନିରୋଧ ଟାସ୍କଫୋର୍ସ, ବେଟି ବଚାଓ ବେଟି ପଢାଅ ଏବଂ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଶିଶୁଙ୍କ ସୁରକ୍ଷା ଓ ଶିକ୍ଷା ଉପରେ ଗୁରୁତ୍ୱ ଦେବା ସହ ବାଲ୍ୟ ବିବାହ ମୁକ୍ତ ଗ୍ରାମ, ପଞ୍ଚାୟତ ତଥା ଜିଲା ଘୋଷଣା ପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ଜିଲାରେ ଶିଶୁ ଭିକ୍ଷାବୃତ୍ତି ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବାଲିଅନ୍ତା ଅଞ୍ଚଳର ବିଭିନ୍ନ ଇଟାଭାଟିରେ କାମ କରୁଥିବା ଶ୍ରମିକ ପରିବାରର ପିଲାଙ୍କୁ ଇଟାଭାଟି ମାଲିକମାନେ କ’ଣ ସବୁ ସୁବିଧା ଉପଲବ୍ଧ କରୁଛନ୍ତି, ତାହା ଉପରେ ସ୍କ୍ବାଡ୍‌ ଗଠନ କରି ତଦାରଖ କରିବାକୁ ଜିଲାପାଳ ତାଗିଦା କରିଥିଲେ। ପଞ୍ଚାୟତଠାରୁ ଜିଲାସ୍ତର ପର୍ଯ୍ୟନ୍ତ ଶିଶୁ ଶ୍ରମିକ ଉଚ୍ଛେଦ, ଗ୍ରାମୀଣ ସ୍ତରରେ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିକୁ କ୍ରିୟାଶୀଳ, ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଚିହ୍ନଟ କରାଯିବ। ଏଥିସହିତ ଭ୍ରୂଣହତ୍ୟା ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଓ ବୈଠକର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ଅତିରିକ୍ତ ଜନସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧିକାରୀ ଡା. ରଘୁନାଥ ନାୟକ, ଜିଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ, ଜିଲା ସାମାଜିକ ମଙ୍ଗଳ ଅଧିକାରୀ ନିରୁପମା ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ରଞ୍ଜନ କୁମାର ଗୋଛାୟତ, ଅର୍ଚ୍ଚନା ରାୟ, ମନସ୍ବିନୀ ମହାପାତ୍ର ଏବଂ ରୀତାଞ୍ଜଳି ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।