ହସ୍ପିଟାଲରେ ଖୋଲିବ ଶିଶୁ କୋଭିଡ୍‌ ଓ୍ବିଙ୍ଗ୍‌

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଦେଶର ବିଭିନ୍ନ ସ୍ଥାନରେ ଶିଶୁମାନେ କରୋନା ସଂକ୍ରମିତ ହେଉଥିବା ଜଣାପଡ଼ବା ପରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଏ ନେଇ ଗାଇଡ୍‌ଲାଇନ ଜାରି କରାଯାଇଛି। ତଦନୁଯାୟୀ ପିଲାମାନଙ୍କ ପାଇଁ ପ୍ରତ୍ୟେକ ଡେଡିକେଟେଡ୍‌ କୋଭିଡ୍‌ ହେଲ୍‌ଥ ସେଣ୍ଟର(ଡିସିଏଚସି) ଏବଂ ଜିଲାସ୍ତରୀୟ କୋଭିଡ୍‌ ହସ୍ପିଟାଲ(ଡିସିଏଚ)ରେ ଶିଶୁ କୋଭିଡ୍‌ ଓ୍ବିଙ୍ଗ ଖୋଲିବା ସହ ୧୫% ଆଇସୋଲେଶନ ବେଡ୍‌ ରଖାଯିବ। ସେହିପରି ଏଡିୟୁ ଏବଂ ଆଇସିୟୁ ବେଡ୍‌ ଶିଶୁ ଓ ଅନ୍ୟ ବର୍ଗର ପିଲାମାନଙ୍କ ପାଇଁ ରହିବ। ସଂକ୍ରମିତ ପିଲାଙ୍କ ପାଇଁ ମାତାପିତାଙ୍କ ମଧ୍ୟରୁ ଜଣେ ରହିବା ବ୍ୟବସ୍ଥା କରାଯିବ। ଏନେଇ ପ୍ରସ୍ତୁତି କରିବାକୁ ଜିଲାପାଳ, ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ମହାନଗର ନିଗମ କମିଶନରମାନଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କଟକସ୍ଥିତ ଏସ୍‌ଭିପିଜିଆଇପି ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରିବ। ଏହାର ସୁପରିଣ୍ଟେଣ୍ଡେଣ୍ଟ ଶିଶୁ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ ଦେବା ପାଇଁ ଏକ ବୈଷୟିକ କମିଟି ଗଠନ କରିବେ। ଏହି କମିଟି ରାଜ୍ୟର ସମସ୍ତ ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞଙ୍କ ସହ ଟେଲିଫୋନ, ହ୍ବାଟସ୍‌ଆପ ଗ୍ରୁପ୍‌ ଜରିଆରେ ଯୋଗାଯୋଗ କରିବା ସହ ଆବଶ୍ୟକ ପରାମର୍ଶ ଦେବେ। ଘରୋଇ ହସ୍ପିଟାଲଗୁଡ଼ିକରେ ମଧ୍ୟ ଏଥିପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। କର୍ମଚାରୀମାନଙ୍କୁ ଆବଶ୍ୟକ ତାଲିମ ଦେବାକୁ ପରାମର୍ଶ ଦିଆଯାଇଛି। ସ୍କୁଲ ପରିବେଶ ଓ ପିଲାମାନଙ୍କଠାରେ ଦେଖା ଦେଉଥିବା ସଂକ୍ରମଣକୁ ପ୍ରତିହତ କରିବାକୁ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। କୋଭିଡ୍‌ ସଂକ୍ରମିତ ପିଲାଙ୍କୁ ଚିହ୍ନଟ ପାଇଁ କୁହାଯାଇଛି। ଘରେ ପିଲାମାନଙ୍କୁ କୋଭିଡ୍‌ ସଂକ୍ରମିତ ମାତାପିତାଙ୍କଠାରୁ ଅଲଗା ରଖି ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି।

Share