ସ୍କୁଲ ପାଚେରି ପଡି ଶିଶୁ ମୃତ୍ୟୁ ଘଟଣା: କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପାଇଁ ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ ପେଟାପାଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେଲକଟି ଗ୍ରାମରେ ସ୍କୁଲ୍‌ ଗେଟ୍‌ ଓ ପାଚେରି ପଡ଼ି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଏହି ସ୍ପର୍ଶକାତର ଘଟଣାକୁ ନେଇ ଗୁରୁବାର ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆରସି)ରେ ଏକ ପିଟିଶନ ହୋଇଛି। ମୃତ ଓ ଆହତ ଶିଶୁଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ତାଙ୍କ ପିଟିଶନରେ ନିବେଦନ କରିଛନ୍ତି। ଏଥିସହ ଘଟଣାର ତଦନ୍ତ କରି ନିମ୍ନମାନର ସ୍କୁଲ୍‌ ପାଚେରି ନିର୍ମାଣ କରିଥିବା ସରକାରୀ ଅଧିକାରୀ, ବିଦ୍ୟାଳୟ ପରିଚାଳନା କମିଟି ଓ କଣ୍ଟ୍ରାକ୍ଟରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କନ୍ଧମାଳ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ବୁଧବାର ବେଲକଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଏକ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରାମର ମହିଳାମାନେ ଅଙ୍ଗନଓ୍ବାଡ଼ି କେନ୍ଦ୍ରରୁ ମଶାରି ଆଣୁଥିବାବେଳେ ସେମାନଙ୍କ ସହ ଆସିଥିବା ଶିଶୁମାନେ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟ ପାଚେରି ପାର୍ଶ୍ୱରେ ଖେଳୁଥିଲେ। ଏହି ସମୟରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ଲାଗିଥିବା ଗ୍ରୀଲ୍‌ ଓ ପାଚେରିର କିଛି ଅଂଶ ସେମାନଙ୍କ ଉପରେ ଭୁଶୁଡ଼ି ପଡିଥିଲା। ଏହା ତଳେ ୩ଜଣ ଶିଶୁ ଚାପି ହୋଇ ରହିଥିଲେ। ଗ୍ରାମବାସୀ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଜଣେ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁ ଜଣକ ହେଲେ ଉକ୍ତ ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ଝିଅ ରୀଶିକା(୧୦)। ଗୁରୁତର ଆହତ ହୋଇଥିବା ଦୁଇ ଶିଶୁ ହେଉଛନ୍ତି ରିତେଶ ପ୍ରଧାନ(୮) ଓ ଶୁଭଶ୍ରୀ ପ୍ରଧାନ(୮)।

Share