ନାଳ ପାର ହୋଇ ଅଙ୍ଗନୱାଡି ଯାଉଛନ୍ତି ପିଲା

ଟେନ୍‌ସା,୨୯ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ମାଲଦା ପଞ୍ଚାୟତ ଓରାଘାଟରୁ ଗୋପୀସାହିକୁ ଯିବା ପାଇଁ ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ପୋଲ ନିର୍ମାଣ ହୋଇପାରିଲା ନାହିଁ। ଫଳରେ ବର୍ଷା ଦିନେ ଛୋଟ ପିଲାମାନେ ଜୀବନକୁ ବାଜି ଲଗାଇ ପାଣିଭରା ନାଳ ପାରି ହୋଇ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଉଛନ୍ତି। ଗୋପୀସାହିରେ ଅଙ୍ଗନୱାଡ଼ି କେନ୍ଦ୍ର ନ ଥିବାରୁ ପିଲାମାନେ ଓରାଘାଟ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଇଥାନ୍ତି। ଓରାଘାଟରୁ ଗୋପୀସାହିକୁ ଯିବା ପାଇଁ ରାସ୍ତାରେ ଏକ ନାଳ ପଡ଼ିଥାଏ। ବର୍ଷାଦିନେ ଏହି ନାଳରେ ପାଣି ଭରିଯାଏ। ଫଳରେ ପିଲାମାନେ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅଙ୍ଗନୱାଡ଼ି ଦିଦି କାଖରେ କାଖେଇ କିମ୍ବା ପରିବାର ଲୋକେ ପିଲାଙ୍କୁ ନାଳ ପାର କଲେ ଯାଇ ପିଲାମାନେ ଅଙ୍ଗନୱାଡ଼ି ଯାଇଥାନ୍ତି। ଏହା କୌଣସି ଦିନେ ଅଧେ ନୁହେଁ ବର୍ଷା ଋତୁ ଆରମ୍ଭ ହେଲେ ଅଙ୍ଗନୱାଡ଼ି ପିଲାଙ୍କ ଦୁଃଖ ପଡିଥାଏ। ଏଥିପ୍ରତି କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ନ ହେବା ବିଡ଼ମ୍ବନାର ବିଷୟ। ଏ ନେଇ ବଣାଇ ଉପଜିଲାପାଳ ସୁରଞ୍ଜନ ସାହୁଙ୍କୁ ପଚାରିବାରୁ, ଉକ୍ତ ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ଖୁବ୍‌ଶୀଘ୍ର କାମ ଚାଲୁ ହେବ ବୋଲି ସେ କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଜଗନ୍ନାଥ ପାତ୍ରଙ୍କୁ ପଚାରିବାରୁ ଏନେଇ ଆମେ ଏକ ଆପ୍ରୁଭାଲ ଜିଲାପାଳଙ୍କୁ ପଠାଇଛୁ ବୋଲି ସେ ପ୍ରକାଶ କରିଥିଲେ।