ଟମକା-ମଙ୍ଗଳପୁର ରାସ୍ତା କାର୍ଯ୍ୟରେ ଶିଶୁ ଶ୍ରମିକ

କାଳିଆପାଣି,୧୧ା୫(ଡି.ଏନ.ଏ.): ଟମକା-ମଙ୍ଗଳପୁର କଂକ୍ରିଟ ରାସ୍ତା ନିର୍ମାଣ ଚାଲିଛି। ମାତ୍ର ଏହି କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଅଭିଯୋଗ ହୋଇଛି। ଟମକା-ମଙ୍ଗଳପୁର ରାସ୍ତାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ବେଦାନ୍ତ ଫେକର-କଲରଙ୍ଗୀ ଖଣି ଗେଟ୍‌ ସମ୍ମୁଖରୁ ଟାଟା ପାଚେରି ପର୍ଯ୍ୟନ୍ତ ଜଣେ ଠିକାଦାର ବିନା ଟେଣ୍ଡରରେ ଓ ବିନା ସୂଚନା ଫଳକରେ କଂକ୍ରିଟ ରାସ୍ତା ନିର୍ମାଣ କରୁଛନ୍ତି। ସମ୍ପୃକ୍ତ ଠିକାଦାର ରାସ୍ତାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା ମାଙ୍କେଡିଆ ସମ୍ପ୍ରଦାୟ ପିଲାଙ୍କୁ କମ ମଜୁରି ଦେଇ ଖରାରେ କାମ କରାଉଛନ୍ତି। ହେଲେ ଏହି ଠିକାଦାରଙ୍କ ପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ପଡୁଛି କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୁକିନ୍ଦା ଖଣି ଅଞ୍ଚଳରେ ଲୋକେ କାର୍ଯ୍ୟହରା ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ଅଭାବ ଅନଟନରେ ଥିବା କୋମଳମତି ଶିଶୁ ଶ୍ରମିକ ହୋଇ ପେଟର ଭୋକ ଉପଶମ କରିବାକୁ ବାଧ୍ୟ ହେଉଛନ୍ତି। ବାପାମା’ ଦାଦନ ଖଟିବାକୁ ବାହାରକୁ ଯାଇଥିବାରୁ ଶିଶୁମାନେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛନ୍ତି। ପ୍ରତିଦିନ ଖବରକାଗଜରେ ରତ୍ନଗର୍ଭା ସୁକିନ୍ଦାର ବିଭିନ୍ନ ଗ୍ରାମରେ ଲୋକେ ଭୋକଉପାସରେ ଦିନ କାଟୁଥିବା ଖବର ପ୍ରକାଶ ପାଉଛି। ତେବେ ଶିଶୁଙ୍କୁ ଶ୍ରମିକ ଭାବେ କାର୍ଯ୍ୟ କରାଇବା ଅପରାଧ ହୋଇଥିବାବେଳେ ତାହାକୁ ପ୍ରାୟ ଦେଉଥିବା ଲୋକେ ମଧ୍ୟ ଅପରାଧୀ ଶ୍ରେଣୀରେ ଗଣତି ହେବେ। ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଉଥିବା ବ୍ୟକ୍ତିଙ୍କୁ ଜେଲ ଦଣ୍ଡ ଓ ଜରିମାନା ଦେବାର ମଧ୍ୟ ସରକାରୀ ନିୟମରେ ପ୍ରାବଧାନ ରହିଛି। ହେଲେ କିଛି ସ୍ବାର୍ଥନ୍ବେସୀ ଲୋକ ଭୋକ ଉପାସରେ ଦିନ କାଟୁଥିବା ଶିଶୁଙ୍କ ଅସହାୟତାରୁ ଫାଇଦା ନେଉଛନ୍ତି। ଏହି ରାସ୍ତା କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ କରି ଠିକାଦାର ବେଧଡ଼କ କାର୍ଯ୍ୟ କରୁଥିବାବେଳେ ଶିଶୁ ସୁରକ୍ଷା ୟୁନିଟ ନୀରବରେ ଦେଖିବା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ତୁରନ୍ତ ପ୍ରଶାସନ ଠିକାଦାରଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ କୌଣସି ଖବର ନ ଥିବା ଜଣାପଡ଼ିଛି।

Share