
ଲାଞ୍ଜିଗଡ଼,୩।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ମାଳିଯୁବାଙ୍ଗ ପଞ୍ଚାୟତର କେନ୍ଦୁପେଟ ଗାଁର ନାବାଳକ ରଘୁ ମାଝୀ (୧୭) ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଶୁକ୍ରବାର ସେଠାରେ ମୃତ୍ୟୁ ଘଟିଥିଲା। ରଘୁ ୨ ଫେବୃଆରୀରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା ଅନକାପାଲି ଥାନା ଅନ୍ତର୍ଗତ ଜବାହାରଲାଲ ନେହେରୁ ଫର୍ମାଷ୍ଟିକ ନାମକ ଏକ କମ୍ପାନୀକୁ ଗାଁ ପିଲାଙ୍କ ସହିତ ମିଶି କାମ କରିବା ପାଇଁ ଯାଇଥିଲେ । ମାତ୍ର ୨୬ ଦିନ ପରେ ଶୁକ୍ରବାର ସାରେ ଉକ୍ତ କମ୍ପାନୀରେ କାମ କରୁଥିବା ସମୟରେ ରଘୁଙ୍କ ମୁଣ୍ଡ ବୁଲାଇବା ଓ ବାନ୍ତି ହେବା ଯୋଗୁ ରାତ୍ର ୧୦ ଘଣ୍ଟା ସମୟରେ ରହୁଥିବା ନିଜ ରୁମକୁ ଚାଲି ଆସିଥିଲେ। ସେଠାରେ ସେ ଗୁରୁତର ହୋଇଥିବା ବେଳେ ଖବରପାଇ ରଘୁଙ୍କ ସୁପରଭାଇଜର ରାମକ୍ରୀଷ୍ଣା ଓ ଗାଁ ପିଲା ରଘୁଙ୍କୁ ଶନିବାର ଭୋର ୪ଟାରେ ନିକଟରେ ଥିବା ଅନକାପାଲି ସରକାରୀ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗାଁ ପିଲା ରଘୁଙ୍କ ବାପା ସାନ ମାଝୀଙ୍କୁ ଜଣାଇବା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଲୋକେ ମୃତଦେହ ଆଣିବାକୁ ଅସମର୍ଥ ହୋଇ ପଡ଼ିଥିଲେ। ସାନ ମାଝୀ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଦାବି କରି ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ I ଏନେଇ ଜିଲା ଶ୍ରମ ଅଧିକାରୀଙ୍କୁ ମଧ୍ୟ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ମଧ୍ୟ ନିବେଦନ କରିଥିଲେ। ଜିଲାଶ୍ରମ ବିଭାଗ ଏହାକୁ ଗୁରୁତର ସହକାରେ ନେଇ ଆନ୍ଧ୍ରର କମ୍ପାନୀ ସହ ଯୋଗାଯୋଗ କରିଥିଲେ ଏବଂ ଶବ ଗାଁକୁ ଆଣିବାପାଇଁ ବ୍ୟବସ୍ଥା କରିଥିଲେ I ମୃତଦେହ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆଣିବା ବ୍ୟବସ୍ଥା କରାଯାଉଛି ଏବଂ ଅତିରିକ୍ତ ଶ୍ରମ ଅଧିକାରୀ ଜୀତମ ମାଝୀ ଏହାର ତଦାରଖ କରୁଥିବା ପ୍ରକାଶ କରିଥିଲେ I ଅତିରିକ୍ତ ଶ୍ରମ ଅଧିକାରୀ ଜୀତମ ମାଝୀଙ୍କୁ ପଚାରିବାରୁ ରବିବାର ରାତି ସାଢେ ୮ ଘଣ୍ଟା ସମୟରେ ଆମ୍ବୁଲାନ୍ସ ଯୋଗେ ମୃତଦେହ କେନ୍ଦୁପେଟ ଗାଁକୁ ପହଞ୍ଚିଥିବା ପ୍ରକାଶ କରିଥିଲେ। କମ୍ପାନୀ ତରଫରୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ଶବ ପଠାଇବା ସହିତ ଶୁଦ୍ଧିକ୍ରିୟା ପାଇଁ ୧୫ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ମୃତକ ପରିବାର ତରଫରୁ କାଗଜପତ୍ର ଦାଖଲ କଲେ ସରକାରଙ୍କ ଯାହା ପ୍ରକ୍ରିୟା ଥିବ ସେହି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଛନ୍ତି। ଶବ ଗାଁରେ ପହଞ୍ଚିଲା ପରେ କାନ୍ଦ ବୋବାଳୀରେ ଗାଁଦାଣ୍ଡ ଫାଟି ପଡୁଥିବା ବେଳେ ଶୋକାକୁଳ ପରିବେଶରେ ଶ୍ମଶାନରେ ଶବଦାହ କରାଯାଇଥିଲା I