Advertisement

ଥମୁନି ଦାଦନ ଦୁଃଖ: ବିଶାଖାପାଟଣାରେ ନାବାଳକ ଶ୍ରମିକଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅଧୀନ ମାଳିଯୁବାଙ୍ଗ ପଞ୍ଚାୟତର କେନ୍ଦୁପେଟ ଗାଁର ନାବାଳକ ରଘୁ ମାଝୀ(୧୭) ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ରଘୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା ଅନକାପାଲି ଥାନା ଅନ୍ତର୍ଗତ ଜବାହାରଲାଲ ନେହେରୁ ଫର୍ମାଷ୍ଟିକ ନାମକ ଏକ କମ୍ପାନୀକୁ ଗାଁ ପିଲାଙ୍କ ସହିତ ମିଶି କାମ କରିବା ପାଇଁ ଯାଇଥିଲେ।

ହେଲେ ଶୁକ୍ରବାର ସାରେ କମ୍ପାନୀରେ କାମ କରୁଥିବା ସମୟରେ ରଘୁଙ୍କ ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା। ଫଳରେ ରାତିରେ ସେ ରହୁଥିବା ରୁମକୁ ଚାଲିଆସିଥିଲେ। ସେଠାରେ ସେ ଗୁରୁତର ହୋଇଥିବା ବେଳେ ଖବର ପାଇ ରଘୁଙ୍କ ସୁପରଭାଇଜର ରାମକ୍ରୀଷ୍ଣା ଓ ଗାଁ ପିଲା ତାଙ୍କୁ ଅଣକାପାଲି ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗାଁ ପିଲା ରଘୁଙ୍କ ବାପା ସାନ ମାଝୀଙ୍କୁ ଜଣାଇବା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ରଘୁଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଲୋକେ ମୃତଦେହ ଆଣିବାକୁ ଅସମର୍ଥ ହୋଇ ପଡିଛନ୍ତି। ପରିବାର ଲୋକେ କ୍ଷତିପୂରଣ ଦାବି କରି ମୃତଦେହ ଗାଁକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଏନେଇ ପରିବାର ଲୋକେ ଥାନାରେ ଏକ ଅଭିଯୋଗ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel