Categories: ଜାତୀୟ

ବାଲ୍ୟ ବିବାହ ବିଲ୍‌, ଗେହଲଟ୍‌ ସରକାରଙ୍କ ୟୁଟର୍ନ…

ଜୟପୁର,୧୨।୧୦: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ସରକାର ବାଲ୍ୟ ବିବାହ ରେଜିଷ୍ଟ୍ରେଶନ ବିଲ୍‌ ନେଇ ୟୁଟର୍ନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୌଣସି ସ୍ଥଳେ ବାଲ୍ୟ ବିବାହକୁ ପ୍ରଶୟ ଦିଆଯିବ ନାହିଁ। ରାଜ୍ୟ ସରକାର ଏନେଇ ସଂକଳ୍ପ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ‘ରାଜସ୍ଥାନ ଅନିବାର୍ଯ୍ୟ ବିବାହ ପଞ୍ଜିକରଣ ସଂଶୋଧନ ବିଧେୟକ-୨୦୨୧ର ପୁନର୍ବିଚାର ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିବେ ବୋଲି ଗେହଲଟ୍‌ କହିଛନ୍ତି।

ଏହାର ଅନୁଧ୍ୟାନ ଲାଗି ଆଇନ ବିଶେଷଜ୍ଞଙ୍କୁ ପ୍ରଦାନ କରାଯିବ। ସେମାନଙ୍କ ପରାମର୍ଶ ଆଧାରରେ ବିଧେୟକ ନେଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ।

ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଗେହଲଟ ‘ନହ୍ନେ ହାତ କଲମ କେ ସାଥ୍‌’ ଅଭିଯାନ ଅନ୍ତର୍ଗତ ‘ହୌସେଲେ କା ଉଡ଼ାଣ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଏହି ବିବାହ ରେଜିଷ୍ଟ୍ରେଶନ ବିଲ୍‌ ଦ୍ୱାରା ବାଲ୍ୟ ବିବାହକୁ ପ୍ରୋତ୍ସାହନ ମିଳିବ ବୋଲି ଦେଶବ୍ୟାପୀ ବିବାଦ ହୋଇଛି। ତେବେ ଏହାକୁ ଆମେ ଫେରସ୍ତ କରିବାର ନିଷ୍ପତ୍ତି ଗ୍ରହଣ କରିଛୁ।

ଅନିବାର୍ଯ୍ୟ ବିବାହ ପଞ୍ଜିକରଣ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଥିଲା। ଏହି ଅଧାର ଉପରେ ରାଜ୍ୟରେ ସଂଶୋଧିତ ଆଇନକୁ ପ୍ରସ୍ତୁତ କରାଯାଇଥିଲା। ତେବେ ଏହାକୁ ନେଇ ବାଲ୍ୟ ବିବାହକୁ ସମର୍ଥନ କରାଯାଉଥିବାରୁ ଏକ ଭୁଲ୍‌ ଧାରଣା ସୃଷ୍ଟି ହୋଇଛି। ତେଣୁ ରାଜ୍ୟପାଳଙ୍କୁ ଏହି ବିଲ୍‌ ଫେରାଇ ଦେବାକୁ ରାଜ୍ୟ ସରକାର ଅନୁରୋଧ କରିବେ ବୋଲି ସେ ସୂଚନା ଦେଇଛନ୍ତି।

Share