Categories: ଜାତୀୟ

ଡିଏନଏ ଟେଷ୍ଟରୁ ସନ୍ତାନର ପିତା ନ ହୋଇଥିବା ଜଣାପଡିଲେ ବି ଲାଳନପାଳନ ଦାୟିତ୍ୱରୁ ମିଳିବନି ମୁକ୍ତି: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୦।୧୨ : ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯଦି ଜଣେ ବ୍ୟକ୍ତି ଡିଏନଏ ରିପୋର୍ଟରେ ଜୈବିକ ପିତା ଘୋଷିତ ନ ହେଲେ ମଧ୍ୟ ତାଙ୍କୁ ଜନ୍ମ ହୋଇଥିବା ସନ୍ତାନର ଲାଳନପାଳନ ଦାୟିତ୍ୱରୁ ମୁକ୍ତି ମିଳିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ଜଣେ ମହିଳା ଦିଲ୍ଲୀ ହାଇକୋର୍ଟଙ୍କର ୧୭ ଅକ୍ଟୋବର୨୦୨୩ର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ତାଙ୍କୁ ସନ୍ତାନର ଲାଳନପାଳନରୁ ବଞ୍ଚିତ କରିଥିଲେ।

ରେକର୍ଡରେ ଥିବା ଡିଏନଏ ରିପୋର୍ଟ ଅନୁଯାୟୀ ହାଇକୋର୍ଟ କହିଥିଲେ ଆବେଦନକାରୀ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ବିବାହ ସମୟରେ ଶିଶୁଟି ଜନ୍ମ ହୋଇଥିଲେ ମଧ୍ୟ ଶିଶୁର ଲାଳନପାଳନ ପାଇଁ ପୁରୁଷ ଦାୟୀ ରହିବେ ନାହିଁ। କାରଣ ଆଇନ ଅନୁଯାୟୀ ଜୈବିକ ପିତା ତାଙ୍କ ସନ୍ତାନର ରକ୍ଷଣାବେକ୍ଷଣ ପାଇଁ ଦାୟୀ ରହିଥାନ୍ତି। ମହିଳାଙ୍କ ଆବେଦନ ଉପରେ ବିଚାର କରି ଜଷ୍ଟିସ ହୃଷିକେଶ ରାୟ ଏବଂ ଜଷ୍ଟିସ ସଞ୍ଜୟ କରୋଲଙ୍କ ବେଞ୍ଚ ପକ୍ଷରୁ ଦିଆଯାଇଥିବା ଆଦେଶରେ ଉକ୍ତ ବ୍ୟକ୍ତିଙ୍କୁ ନୋଟିସ ଜାରି କରି ଚାରି ସପ୍ତାହ ମଧ୍ୟରେ ଏହାର ଉତ୍ତର ଲୋଡାଯାଇଛି।

ଡିଏନଏ ପରୀକ୍ଷା ଯଥେଷ୍ଟ ନୁହେଁ ବୋଲି ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଅପର୍ଣ୍ଣା ଅଜିଙ୍କ୍ୟ ଫିରୋଦିଆ ବନାମ ଅଜିଙ୍କ୍ୟ ଅରୁଣ ଫିରୋଦିଆଙ୍କ ୨୦୨୩ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ବିବାହ ପୂର୍ବରୁ ଗର୍ଭଧାରଣ ସମୟରେ ଯଦି ଜଣେ ପୁରୁଷ ଏବଂ ମହିଳା ଏକାଠି ରୁହନ୍ତି, କିନ୍ତୁ ଡିଏନଏ ପରୀକ୍ଷଣରୁ ଜଣାପଡିଛି ପିଲାଟି ସ୍ବାମୀଙ୍କ ଔରସରୁ ଜନ୍ମ ହୋଇ ନାହାନ୍ତି। ଏପରି ପରିସ୍ଥିତିରେ, ଯେପର୍ଯ୍ୟନ୍ତ ପୁରୁଷଙ୍କ ପାଖରେ ମହିଳାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ, ଶିଶୁଙ୍କ ରକ୍ଷଣାବେକ୍ଷଣକୁ ଅସ୍ବୀକାର କରିବା ପାଇଁ ଡିଏନଏ ପରୀକ୍ଷା ନିର୍ଣ୍ଣାୟକ ହେବ ନାହିଁ।

Share