ଜନ୍ମ ହେବାପରେ ଡାକ୍ତରଙ୍କ ମୁହଁରୁ ମାସ୍କ କାଢ଼ିଲା ନବଜାତ

ନୂଆଦିଲ୍ଲୀ, ୧୫।୧୦: କରୋନା ମହାମାରୀ ହେତୁ ସମସ୍ତ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏହି କଠିନ ସମୟରେ ସତର୍କତା ହିଁ ଏକମାତ୍ର ବିକଳ୍ପ। କିନ୍ତୁ ଗୋଟିଏ ନବଜାତ ଶିଶୁ ଜନ୍ମ ହେବାର କିଛି ସେକେଣ୍ଡ ପରେ ଏପରି କିଛି କଲା ଯାହାକୁ ଆଜି ପୁରା ବିଶ୍ୱ ଅପେକ୍ଷା କରି ରହିଛି।
ଫଟୋରେ ଦେଖିବାକୁ ମିଳିଛି ଗୋଟିଏ ଶିଶୁ କନ୍ୟା ଜନ୍ମ ହେବାର କିଛି ସେକେଣ୍ଡ ପରେ ଡାକ୍ତରଙ୍କ ମୁହଁରେ ଲାଗିଥିବା ମାସ୍କକୁ ଟାଣି ନେଉଛି। ଆମେରିକାର ଏହି ଫଟୋକୁ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସମୀର ଚୌବେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ନବଜାତ ଶିଶୁକନ୍ୟାଟି ହାତରେ ସମୀରଙ୍କ ମୁହଁରୁ ମାସ୍କ କାଢ଼ିବା ପରେ ତାଙ୍କ ମୁହଁରେ ହସ ଖେଳିଯାଇଥିଲା। ଏହି ଫଟୋକୁ ଏବେ ହଜାର ହଜାର ସଂଖ୍ୟାରେ ଲୋକ ଲାଇକ୍‌ କରିବାରେ ଲାଗିଛନ୍ତି। ଅନେକ ଲୋକ ଏହାକୁ ଭବିଷ୍ୟତର ସଙ୍କେତ ବୋଲି କହିଛନ୍ତି। ଆଉ କିଛି ଲୋକ କହିଛନ୍ତି, ଆମେ ଖୁବ୍‌ ଶୀଘ୍ର ମାସ୍କରୁ ମୁକ୍ତି ପାଇବାକୁ ଯାଉଛୁ।

Share