Categories: ଜାତୀୟ

ରାହୁଲଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି

ନୂଆଦିଲ୍ଲୀ,୧୪।୮: ବଳାତ୍କାର ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଫେସବୁକ ଅଧିକାରୀଙ୍କୁ ଏଭଳି ପ୍ରଶ୍ନ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍‌ସିପିସିଆର୍‌)।

କମିଶନର ସମନ ପତ୍ରରେ ଉଲ୍ଲେଖ ଅଛି ଯେ, ଆମ ପକ୍ଷରୁ ନୋଟିସ ଜାରି କରାଯିବା ପରେ ମଧ୍ୟ କୌଣସି ଉତ୍ତର ମିଳିଲା ନାହିଁ। ଏଣୁ ମଙ୍ଗଳବାର ସନ୍ଧ୍ୟା ୫ଟା ବେଳେ ଜନପଥ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ସାଥିରେ ରାହୁଲଙ୍କ ପ୍ରୋଫାଇଲ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସବିଶେଷ ତଥ୍ୟ ଆଣିବାକୁ କୁହାଯାଇଛି।

ନିକଟରେ ଦିଲ୍ଲୀରେ ଜଣେ ୯ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା। ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହ ଆନ୍ଦୋଳନ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାର ଭିଡିଓକୁ ରାହୁଲ ଶେୟାର କରିଥିଲେ ଇନ୍‌ଷ୍ଟାଗ୍ରାମରେ। ଏହା ଦ୍ୱାରା ରାହୁଲ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିବା ସହ ଆଇନ ଭଙ୍ଗ କରିଥିଲେ। ଏଥି ଲାଗି ରାହୁଲଙ୍କ ପ୍ରୋଫାଇଲ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଫେସବୁକକୁ ନୋଟିସ ଦେଇଥିଲା ଦେଶର ଶିଶୁ ଅଧିକାର ସଂସ୍ଥା ଏନ୍‌ସିପିସିଆର୍‌। କିନ୍ତୁ ଏହାର କୌଣସି ଜବାବ ମିଳି ନ ଥିଲା।

Share