ଇନଷ୍ଟାଗ୍ରାମରେ ପିଲାଙ୍କୁ ଯୌନ ଶୋଷଣ, ଜାଣି ଅଜଣା ହେଉଛି ମେଟା, ପୂର୍ବତନ କର୍ମଚାରୀ ଆମେରିକାର ସିନେଟ ସମ୍ମୁଖରେ କଲେ ପ୍ରକାଶ…

ଓ୍ବାଶିଂଟନ,୯।୧୧ : ଇନଷ୍ଟାଗ୍ରାମରେ ପିଲାମାନଙ୍କୁ ଶୋଷଣ କରାଯାଉଛି। ୧୩ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଯୌନ ଶୋଷଣ ପାଇଁ ପ୍ରୟାସ କରାଯାଉଛି। ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ମେଟାର ଜଣେ ପୂର୍ବତନ କର୍ମଚାରୀ ଆମେରିକାର ସିନେଟରେ ଶପଥ ଗ୍ରହଣ କରି ଏହି ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଇନଷ୍ଟାର ମାଲିକାନା କମ୍ପାନୀ ମେଟା ଏଗୁଡିକ ବିଷୟରେ ଭଲ ଭାବରେ ଜାଣିଛି, କିନ୍ତୁ ଜାଣିଶୁଣି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କମ୍ପାନୀ ଇଚ୍ଛାକୃତ ଭାବରେ ପିଲାମାନଙ୍କର କ୍ଷତି ରୋକିବାରେ ବିଫଳ ହେଉଛି।

ପୂର୍ବତନ କର୍ମଚାରୀ ଆର୍ଟୁରୋ ବେଜର ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଇନଷ୍ଟାଗ୍ରାମରେ ବ୍ୟବହାରକାରୀଙ୍କ ଉପରେ ନଜର ରଖିଥିଲେ। ସେ ୨୦୦୯ ରୁ ୨୦୧୫ ପର୍ଯ୍ୟନ୍ତ ଫେସବୁକର ଉତ୍ପାଦ ଏବଂ ରକ୍ଷଣାବେକ୍ଷଣ ଦଳର ନିର୍ଦ୍ଦେଶକ ମଧ୍ୟ ଥିଲେ। ଗୋପନୀୟତା, ପ୍ରଯୁକ୍ତିବିଦ୍ୟା ଏବଂ ଆଇନ ଉପରେ ଗଠିତ ସିନେଟ ଜୁଡିସିଆରୀ କୋ-କମିଟିକୁ ସେ ନିଜର ବିବୃତ୍ତି ଦେଇଛନ୍ତି ଏବଂ କିଶୋରମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସୋସିଆଲ ମିଡିଆର ପ୍ରଭାବର ମାମଲାର ଶୁଣାଣି କରୁଛନ୍ତି। ସଂସଦର ଉଭୟ ଦଳର ସାଂସଦମାନେ ଆଇନ ପ୍ରଣୟନ କରିବାକୁ ଚେଷ୍ଟା କରୁଛନ୍ତି ଯାହା ମାତାପିତାଙ୍କୁ ସେମାନଙ୍କ ପିଲାମାନଙ୍କୁ ଅନଲାଇନ ଶୋଷଣରୁ ରକ୍ଷା କରିବ ଏବଂ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ସେମାନଙ୍କ ପ୍ଲାଟଫର୍ମରେ ପରିବର୍ତ୍ତନ ଆଣିବା ଆବଶ୍ୟକ କରିବ।

ପ୍ରମାଣ ଭାବରେ ୨୦୨୧ର ଏକ ଇମେଲ ସେ ଉପସ୍ଥାପନ କରିଛନ୍ତି। ଏଥିରେ ସେ ଜୁକରବର୍ଗ ଏବଂ ଅନ୍ୟ ଅଧିକାରୀମାନଙ୍କୁ କହିଛନ୍ତି ଇନଷ୍ଟାଗ୍ରାମର ଆଭ୍ୟନ୍ତରୀଣ ସର୍ଭେ ନିଶ୍ଚିତ କରୁଛି ଗତ ୭ ଦିନ ମଧ୍ୟରେ ୫୧ ପ୍ରତିଶତ ଉପଭୋକ୍ତା ଖରାପ ଏବଂ ବିପଦପୂର୍ଣ୍ଣ ଜିନିଷ ଦେଇ ଗତି କରିଛନ୍ତି।

ଏଥିମଧ୍ୟରୁ ୨୪.୪ ପ୍ରତିଶତ ଉପଭୋକ୍ତା ଶିଶୁ, ଯେଉଁମାନଙ୍କର ବୟସ ୧୩ ରୁ ୧୫ ବର୍ଷ। ଇନଷ୍ଟା ଉପରେ ଯୌନ କାର୍ଯ୍ୟକଳାପ ଏବଂ ବିଷୟବସ୍ତୁ ମାଧ୍ୟମରେ ତାଙ୍କୁ ହଇରାଣ କରାଯାଉଥିଲା। ଏହି ସର୍ଭେରେ, ୧୩ ରୁ ୧୫ବର୍ଷ ବୟସର ୧୩ ପ୍ରତିଶତ ପିଲାଙ୍କୁ ଯୌନ ଶୋଷଣର ଶିକାର କରିବାକୁ ଉଦ୍ୟମ ବିଷୟରେ ସେ ସୂଚନା ଦେଇଥିଲେ।

 

Share