କଟକ,୧୮।୨: ପୁଣି ଚର୍ଚ୍ଚାରେ ଏସ୍ସିବି। ଏସ୍ସିବି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଜନ୍ମିତ ସନ୍ତାନ ଏସ୍ଏନ୍ସିୟୁରେ ଚିକିତ୍ସାଧୀନ ବେଳେ ବଦଳ ହୋଇଥିବା ଅଭିଯୋଗ ହୋଇଛି। ନବଜାତ କନ୍ୟାକୁ କର୍ମଚାରୀମାନେ ବଦଳ କରି ଏକ ମୃତ ଶିଶୁ ଅଭିଭାବକଙ୍କୁ ଧରାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଏସ୍ଏନ୍ସିୟୁ କର୍ମଚାରୀଙ୍କ ଭୂମିକାକୁ ନେଇ ପ୍ରସୂତିଙ୍କ ସମ୍ପର୍କୀୟ ସନ୍ଦେହ ପ୍ରକଟ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।
ଏପରିକି ପ୍ରସୂତିଙ୍କ ପରିବାର ଲୋକେ ଏସ୍ସିବି ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ନିବେଦନ କରିଛନ୍ତି। ଜୀବିତ ପିଲା ବଦଳରେ ମଲା ପିଲା ଦେବା ଅଭିଯୋଗକୁ ନେଇ ମେଡିକାଲରେ ହଟଚମଟ ସୃଷ୍ଟି ହୋଇଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଲୁସି ଦାସ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଏବଂ ଶିଶୁ ରୋଗ ବିଭାଗ ମୁଖ୍ୟଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ପୁରୀ ଜିଲା କୁମ୍ଭାରପଡ଼ା ଥାନା ତଳଚୁଆ ସାହି ଅଞ୍ଚଳର ରତନା ବେହେରାଙ୍କ ପତ୍ନୀ ଚନ୍ଦ୍ରମା ଗତ ୧୦ ତାରିଖରେ ଏସ୍ସିବିରେ ଭର୍ତ୍ତି ହୋଇଥିଲେ। ୧୧ ତାରିଖ ସକାଳ ୯ଟାରେ ଏକ କନ୍ୟା ଜନ୍ମ ନେଇଥିଲା। ଜନ୍ମ ପରେ ଅସୁସ୍ଥ ନବଜାତ କନ୍ୟାକୁ ଏସ୍ଏନ୍ସିୟୁକୁ ନିଆଯାଇଥିଲା। ମାତ୍ର ୨୪ ଘଣ୍ଟା ପରେ ନବଜାତକ ମରିଯାଇଛି ବୋଲି ଜଣେ ନର୍ସ ଦିଦି ଆମକୁ କହିଥିଲେ ବୋଲି ମହିଳାଙ୍କ ସ୍ବାମୀ ରତନା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ସା ବେଳେ ପିଲା ଠିକ୍ ଥିବା ବେଳେ ହଠାତ୍ ରାତି ୧୨ଟାରେ ଏସ୍ଏନ୍ସିୟୁକୁ ଡକାଇ ପିଲାଟି ମରିଯାଇଛି ବୋଲି କର୍ମଚାରୀମାନେ କହି ସମ୍ପର୍କୀୟଙ୍କ ହାତରେ ଜବରଦସ୍ତ ମଲାପିଲା ଧରାଇ ଦେଇ ବିଦା କରିଦେଇଥିଲେ। ହେଲେ ପରିବାର ଲୋକେ ମଲା ପିଲାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ମଲା ପିଲା ଆମର ନୁହେଁ ବୋଲି ଯେତେ କହିଥିଲେ ବି ସେମାନେ ଶୁଣି ନ ଥିଲେ। ପୋଲିସ ଭୟ ଦେଖାଇ ବାହାରକୁ ଚାଲି ଯିବାକୁ କହିଥିଲେ।
ପରବର୍ତ୍ତୀ ସମୟରେ ମଲା ପିଲାକୁ ନେଇ ପରିବାର ଲୋକେ ଗୋପାଳପୁର ନିକଟ କାଠଯୋଡ଼ି ନଦୀରେ ବାଲି ଖୋଳି ପୋତି ଦେଇଥିଲେ। ଲୁଗାରେ ଗୁଡ଼ାଇ ପିଲାକୁ ପୋତି ଦେବା ସମୟରେ ଦୂରରେ ରହି ଦୁଇ ଜଣ ଅଜଣା ବ୍ୟକ୍ତି ଦେଖୁଥିଲେ ବୋଲି ରତନା ଅଭିଯୋଗ ଆଣିଛନ୍ତି।
ପରବର୍ତ୍ତୀ ସମୟରେ ପୋତା ଯାଇଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିବାରୁ ଗୁଡ଼ା ହୋଇଥିବା ଲୁଗା ଭିତରୁ ପିଲାର ମୃତ ଦେହ ନ ଥିବା ଓ ଲୁଗାଟି ବାହାରେ ପଡ଼ିଥିବା ପରିବାର ଲୋକେ ଦେଖିବାକୁ ପାଇଥିବା ରତନା କହିଛନ୍ତି।
ଏହାକୁ ନେଇ ପରିବାର ଲୋକେ ଅଧ୍ୟକ୍ଷଙ୍କ ନିକଟରେ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ମା’ ଚନ୍ଦ୍ରମା ଘଟଣାକୁ ନେଇ ଭାଙ୍ଗି ପଡିଛନ୍ତି। ଚନ୍ଦ୍ରମାଙ୍କୁ ଡିସଚାର୍ଜ କରିବାକୁ ଡାକ୍ତର କହିଥିଲେ ହେଁ ପିଲା ଫେରି ନ ପାଇବା ଯାଏ ୱାର୍ଡ ଛାଡ଼ି ଯିବେ ନାହିଁ ବୋଲି ସେ କହିଛନ୍ତି। ଏହି ସମ୍ପର୍କରେ ଅଧ୍ୟକ୍ଷ ପ୍ରଫେସର ଦାସଙ୍କ ପ୍ରତିକ୍ରିୟା ନେବାରୁ ସେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ତଥାପି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଛନ୍ତି।