କାମ୍ପାଲା: ଜଣେ ୨ ବର୍ଷର ପିଲାକୁ ଏକ ଭୋକିଲା ଜଳହସ୍ତୀ ଗିଳି ଦେଇଥିଲା। ପରେ ସେ ବାନ୍ତି କରି ପିଲାଟିକୁ ଓକାଳି ଦେଇଛି। ଏପରି ଘଟଣା ଘଟିଛି କାମ୍ପାଲାର କାଟୱେ କବାଟୋରୋ ସହରରେ। ରିପୋର୍ଟ ମୁତାବକ, ଚଳିତ ମାସ ୪ ତାରିଖରେ ଜଣେ ପିଲା ତାଙ୍କ ଘର ପାଖ ହ୍ରଦ ନିକଟରେ ଖେଳୁଥିଲା। ସେହି ସମୟରେ ଏକ ଜଳହସ୍ତୀ ଆସି ସେହି ପିଲାଟିକୁ ଗିଳି ଦେଇଥିଲା। ସେଠାରେ ଉପସ୍ଥିତ ଜଣେ ଲୋକ ପିଲାଟିକୁ ଜଳହସ୍ତୀଠାରୁ ବଞ୍ଚାଇବାକୁ ଯାଇ ଜଳହସ୍ତୀ ଉପରକୁ ପଥର ଫୋପାଡ଼ିବାକୁ ଲାଗିଲେ। ଫଳରେ ଜଳହସ୍ତୀ ପିଲାଟିକୁ ବାନ୍ତି କରି ପାଟିରୁ କାଢ଼ିଦେଇଥିଲା। ପିଲାଟି ବଞ୍ଚିଥିବାବେଳେ ତାଙ୍କ ହାତରେ କ୍ଷତ ହୋଇଥିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ସେଠାରେ ଚିକିତ୍ସା ସହ ଭ୍ୟାକ୍ସିନ ଦେବା ପରେ ଡାକ୍ତର ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରିଥିଲେ। ପିଲାଟିକୁ ଉଦ୍ଧାର କରିଥିବାରୁ ସେଠାକାର ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଅନେକ ପ୍ରଶଂସା କରିଥିଲା।