Posted inଫୁରସତ

ପିଲାବେଳ , ଧୂଳିଖେଳ

ପିଲାଦିନ! କେବେ ଭୁଲି ହେଉ ନ ଥିବା ଅଭୁଲା ଦିନ। ଯାହାର ସ୍ମୃତି ବଞ୍ଚତ୍ଥିବା ଯାଏ ସହଜରେ ପାସୋରି ହୁଏନା। ସେହି ମଧୁର ସ୍ମୃତିକୁ ମଣିଷ ଝୁରି ହୁଏ, କାହିଁକି ନା ତାହା ଅଫେରା। ଚାହିଁଲେ ବି ସେହି ସମୟକୁ ଯାଇ ଫେରେଇଆଣି ହୁଏନି ବର୍ତ୍ତମାନ ପାଇଁ। କେବଳ ଅବସୋସ କରିହୁଏ ନିଜ ପିଲାକୁ ଦେଖି। ଭବିଷ୍ୟତ ଗଢ଼ିବାର ଚାପ ହେଉ କି ଶିକ୍ଷା ଆନୁଷ୍ଠାନର ଚାପ କିମ୍ବା ସମସ୍ତଙ୍କଠୁ ଆଗକୁ ଯିବାର ମାନସିକତା ରଖୁଥିବା ଅଭିଭାବକଙ୍କ ଚାପ; ଯେଉଁଥିରେ ଚାପି ହୋଇଯାଉଛି କେବଳ ପିଲାଦିନ। ପଛରେ ରହିଯିବାର ଭାବ ଲିଭେଇ ଦେଇଛି ସେହି ଧୂଳିଖେଳର ପିଲା ଜୀବନ। ଆଜି ପିଲା ଖେଳୁଛନ୍ତି ସତ କିନ୍ତୁ ନିୟମରେ ବାନ୍ଧିହୋଇ। ମନଇଚ୍ଛା ଖେଳିବାର ସ୍ବାଧୀନତା ଟିକକ ତାଙ୍କର ଛଡ଼େଇ ନେଇଛି ସମୟ। ଆଉ ଯାହା ଥିଲା ଛଡ଼େଇ ନେଲା ଟେକ୍ନୋଲୋଜି। ଆଜି ଆମ ବଡ଼ମାନଙ୍କ ଭିତରେ ପିଲାବେଳ ବୋଲି ଭାବିଦେଲେ ମନରେ ଯେଉଁ ପୁଲକ ଖେଳି ଯାଉଛି ସେହି ମିଠା ମଧୁର ଅନୁଭବ ସତରେ କ’ଣ ଆମ ପିଲାଙ୍କ ଭିତରେ ସେମିତି ରହିବ। ସେ ବେଳର ପିଲାବେଳ, ଧୂଳିଖେଳ, ବନ୍ଧୁବାନ୍ଧବ, ଯାନିଯାତ୍ରା, ଆପଣାପଣ ଏବେ ଆଉ କେତେ ଦେଖିବାକୁ ମିଳୁଛି? ଆସ୍ତେଆସ୍ତେ ହଜି ଯାଉଥିବା ପିଲାଦିନର ଏହି ସ୍ମୃତି କିନ୍ତୁ ଏବେ ବି ସତେଜ ହୋଇ ରହିଛି ଏମାନଙ୍କ ପାଖରେ। ଏମାନେ ସମସ୍ତେ ପ୍ରତିଷ୍ଠିତ ନିଜ ନିଜ କ୍ଷେତ୍ରରେ। ବ୍ୟସ୍ତମୟ ଜୀବନ ଭିତରେ କିନ୍ତୁ ପିଲାଦିନର କଥା ପଚାରିଦେଲେ ଆନମନା ହୋଇଯାନ୍ତି। ହସି ହସି ବଖାଣି ବସନ୍ତି ନିଜ ପିଲାଦିନର କଥା। ତାଙ୍କରି ସେହି କଥାକୁ ନେଇ ଏଥରର ପ୍ରଚ୍ଛଦ…
ପିଲାଦିନ ହିଁ ଜୀବନର ସବୁଠାରୁ ଭଲଦିନ: ତପନ ପଣ୍ଡା
(ଉପ କୁଳପତି, କିଟ୍‌ ବିଶ୍ୱବିଦ୍ୟାଳୟ)
ପିଲାଦିନ ହିଁ ଜୀବନର ସବୁଠାରୁ ଭଲ ଦିନ। ସେଠି ଛନ୍ଦ, କପଟ, ମାୟା କିଛି ବି ନ ଥାଏ I ଥାଏ କେବଳ ନିର୍ମଳ ଭଲପାଇବା ଆଉ ଜୀବନକୁ ଉପଭୋଗ କରିବାର ଅଦମ୍ୟ ଇଚ୍ଛା। ମୋର ଜନ୍ମ ନୟାଗଡ଼ରେ ହେଲେ ବି ପିଲାଦିନ ଜଟଣୀରେ କଟିଛି I  ପ୍ରଥମରୁ ପଞ୍ଚମ ଯାଏ ନୟାଗଡ଼ରେ, ଆଉ ତା’ପରେ ଜଟଣୀରେ ! ନୟାଗଡ଼ର ପିଲାଦିନରେ ସରଳତା ଅଧିକ ଥିଲା I ବର୍ଷାଦିନରେ କଙ୍କି ଧରି ତା’ ଗୋଡ଼ରେ ସୂତା ବାନ୍ଧି ନିଜର ସାମର୍ଥ୍ୟର ପରିଚୟ ଦେବା ଗୋଟିଏ ସୁନ୍ଦର ସ୍ମୃତି I ସାଙ୍ଗର ନୂଆ ଘର ତିଆରି ହେଉଥିଲା, ତେଣୁ ବାଲିରେ ଟିଣ ବାକ୍ସକୁ ପୋତି, ଡିଏଫଓ ଅଫିସ ପଛ ଆଡେ, ଅରମା କନିଅର ବଣରେ ପଶି, କଙ୍କି ଧରିବାର ମଜା ଏ ଯାଏ ମନରୁ ଯାଇନି । ତା’ ସହ ନାଲି ଗୁଲୁଗୁଲୁ ସାଧବବୋହୂଙ୍କୁ ହାତ ପାପୁଲିରେ ଧରି, ସବୁଜ ଘାସ ଉପରେ ଚଲେଇବା ଆଉ ଏ ଜୀବନରେ ହେବ କି ନାହିଁ ସନ୍ଦେହ । ବିଭିନ୍ନ ପ୍ରକାର ଅଦ୍ଭୁତ ଖେଳ ଖେଳିବା ମଧ୍ୟ ପିଲାଦିନର ସ୍ମୃତିରେ ଲୁଚି ରହିଛି । ଟିକେ ବୟସ ବଢ଼ିବା ସାଙ୍ଗରେ  ସମବୟସ୍କ ଝିଅଙ୍କୁ ଧମକେଇ ତାଙ୍କ ରଜଦୋଳିରେ ଖେଳିବା, ବର୍ଷ। ଦିନରେ ଜରି କିମ୍ବା କନାକୁ ଅଖା ସୂତାରେ ଗୁଡେଇ, ଫୁଟବଲ ତିଆରି କରି କାଦୁଅରେ ଖେଳିବା, ଲମ୍ବା ଖରାଛୁଟିରେ ବୋର୍‌ ହୋଇ ଅଜା ଘର ବାରିଆଡେ ଡାଳମାଙ୍କୁଡ଼ି ଖେଳୁ ଖେଳୁ ପଞ୍ଚମଶ୍ରେଣୀ ହୋଇଗଲା I ସ୍କୁଲରେ କବାଡ଼ି, ଖୋଖୋ ସହ  ଫୁଟବଲ ଖେଳିବା ଆରମ୍ଭ ହେଇଗଲା ! ସବୁଠୁ ଦୁଃଖର କଥା ଥିଲା ବୁଡ଼ିଯିବା ଭୟରେ ପହଁରା ନ ଶିଖିବା I ବାକି ସାଙ୍ଗମାନେ ପୋଖରୀରେ ଚିତ୍‌ ପହଁରା, ବୁଡ଼ା ପହଁରା ଆଉ କେତେ କ’ଣ ପ୍ରକାର ପହଁରା ଶିଖିଲା ବେଳେ ମୋ ଦେଇ କିଛି ପହଁରା ହେଲା ନାହିଁ ! ଖାଲି ଯାହା ଢୋକ ଢୋକ କରି ମଇଳା ପୋଖରୀ ପାଣି ପିଇବା ସାର ହେଲା। ଆଜିଯାଏ ଆଉ ପହଁରିବା ହେଲା ନାହିଁ।
ପ୍ରାୟ ପଞ୍ଚମଶ୍ରେଣୀ ବେଳକୁ ନୂଆ କରି ଶିଖିଥିବା ଖେଳ ଭିତରେ ଥିଲା ଗିଲିଦଣ୍ଡା  ଖେଳ – ମାଟିରେ ଛୋଟିଆ ଗାତ କରି ସେଥିରେ ଗିଲିଦଣ୍ଡା ଖେଳିବା ସବୁଠାରୁ ପସନ୍ଦ ଥିଲା;  କିନ୍ତୁ ଏହି ଖେଳ ସାଙ୍ଗରେ ଅନେକ ଦୁର୍ଘଟଣା ବି ହୋଇଛି ଯଥା ମୁହଁ ଫାଟିବା, ଗିଲି ବାଜି ଆଖି ଫୁଲିବା ! ଏବର ପିଲାମାନଙ୍କୁ ଦେଖିଲେ, ସେମାନଙ୍କ ପିଲା ଦିନ ଯେ କେତେ ନିରସ, ଆଉ କେତେ କେତେ ଯେ ମଜାଦାର ଖେଳ ସେମାନେ ଖେଳି ପାରୁ ନାହାନ୍ତି ଭାବିଲେ ମତେ ସେମାନଙ୍କୁ ଦୟା ଲାଗେ । ପେଟଭର୍ତ୍ତି ଖାଇବା, ଦିନ ସାରା ଧୁମ୍‌ ଖେଳିବା ଆଉ ଆଗାମୀ ଭବିଷ୍ୟତ ପ୍ରତି ଆଶଙ୍କିତ ବା ସଚେତନ ନ ହେବା ବୋଧହୁଏ ପିଲା ଦିନର ସବୁଠୁ ବଡ଼ ଉପଲବ୍ଧି ।
ଖେଳରୁ ସୃଷ୍ଟି ଆନ୍ତରିକତା ଆଜି ବି ବଞ୍ଚତ୍ଛି :
ଡକ୍ଟର କମଳାକାନ୍ତ ଜେନା (ପ୍ରାଧ୍ୟାପକ, ପଦାର୍ଥ ବିଜ୍ଞାନ)
ଆମେ ଏମିତି କଥାରେ କହିଦେଉ, ‘ପିଲାବେଳ, ଧୂଳିଖେଳ’। ହେଲେ ମୁଁ କିନ୍ତୁ ପିଲାଦିନେ ସତରେ ବାଲି-ଧୂଳିରେ ଖେଳିବାର ଭରପୂର ମଜା ନେଇଛି। ବାଲେଶ୍ୱର ଜିଲାର ଗଣେଶ୍ୱରପୁର (ଜାନୁଗଞ୍ଜ) ହେଉଛି ମୋ ଗାଆଁ। ହଁ, ଆଜି ମୋ ଗାଆଁଟା ସହର ସହର ଲାଗୁଛି, ମୋ ଗାଆଁଦାଣ୍ଡ ପକ୍କା-ସଡ଼କର ରୂପ ନେଇଛି। କିନ୍ତୁ ପିଲାବେଳର ବାଲି-ଦାଣ୍ଡକୁ ମୁଁ ଭୁଲିନାହିଁ। ଆଜି ମୋ ଗାଆଁରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ମେଡିକାଲ କଲେଜ, ଏମ୍‌ସ୍‌ ମେଡିକାଲ କଲେଜ, ଏଲ୍‌.ଭି. ପ୍ରସାଦ ଚକ୍ଷୁ-ଚିକିତ୍ସାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଆହୁରି ଅନେକ ପ୍ରତିଷ୍ଠାନ ଗଢ଼ିଉଠିଛି। କିନ୍ତୁ ଦାଣ୍ଡର ଧୂଳି ଉପରେ ଗଡ଼ି ଗଡ଼ି ଖେଳିବା ଓ ବର୍ଷାଦିନେ ଗାଆଁଦାଣ୍ଡରୁ ମାଛ ଧରିବା କଥା ମୁଁ ଏଯାଏ ଭୁଲିନାହିଁ ।
ଆଉ ଯାହା ଜମା ଭୁଲିନି, ତାହା ହେଲା ମୋ ପିଲାଦିନ ଖେଳ। ପିଲାଦିନେ ଖେଳ ମୋ ଜୀବନର ସବୁଠାରୁ ବଡ଼ କଥା ଥିଲା। ଅତି ଦେହ ଖରାପ ଥିଲେ, କିମ୍ବା ହାତ ଭାଙ୍ଗିଥିଲା ବେଳେ ହୁଏତ ଖେଳି ନ ଥିବି । ନଚେତ୍‌ ଏମିତି କୌଣସି ଦିନ ନାହିଁ ଯେଉଁଦିନ ମୁଁ ଖେଳିବା ବନ୍ଦ କରିଛି। ଛୋଟବେଳେ ପାଦ ଉପରେ ଓଦା ବାଲି ଥାପି ମନ୍ଦିର ତିଆରି କରିବା ପୁଣି ସେ ବାଲି ମନ୍ଦିରରେ ଡାଳ ଓ ଫୁଲ ଲଗେଇ ସୁନ୍ଦର ମନ୍ଦିର ଗଢ଼ିବା ପାଇଁ ମନେ ମନେ ପ୍ରତିଯୋଗିତା ହେଉଥିଲା। ପ୍ରକୃତରେ ପିଲାଙ୍କ ସୃଜନଶୀଳତା ବଢ଼େଇବାରେ ସେମିତି ଖେଳର ବଡ଼ ଭୂମିକା ଥିଲା। ସ୍କୁଲରେ ମୋର ପ୍ରିୟ ଖେଳ ଥିଲା ‘ଡାଳ-ମାଙ୍କୁଡି’। ଖେଳ ଛୁଟିରେ ସ୍କୁଲ ପାଖ ମିଶ୍ର-ପୋଖରୀ କୂଳରେ ଜାମୁ, ଆମ୍ବ ଓ ପିଜୁଳି ଗଛରେ ଆମେ ୫/୬ ଜଣ ସାଙ୍ଗ ମିଶି ଖେଳୁଥିଲୁ। ସ୍କୁଲରୁ ଫେରିଲା ପରେ ଖାଇ ଦେଇ ହରିହାଟ ଛକକୁ ମୁଁ ବାହାରି ଯାଏ ‘ବାଟି’ ବା ‘କାଚଗୋଲି’ ଖେଳିବା ପାଇଁ। ବାଟି ଖେଳରେ ହାରିବା-ଜିତିବା ଥିଲା। ଅନ୍ୟଠାରୁ ବାଟି ଜିତିବା ପାଇଁ ଏକାଗ୍ରତା ଓ ଲକ୍ଷ୍ୟ ଆବଶ୍ୟକ। ଏବେ ପାଖରେ ଟଙ୍କା ଥିଲେ ଯେମିତି ଖୁସି ଲାଗୁଛି, ସେତେବେଳେ ପକେଟରେ ୪-୬ଟା ବାଟି ଥିଲେ ସେମିତି ଲାଗୁଥିଲା। ବାଟି ଖେଳରେ ମୋର ଭଲ ଖାତିର ଥିଲା । ମୋ ସହିତ ବାଟି ଖେଳିବା ପାଇଁ ସାହି ପିଲା ଡରୁଥିଲେ । ପିଲାଦିନେ ଖେଳ ମାଧ୍ୟମରେ ସାଙ୍ଗ-ସାଙ୍ଗ ଭିତରେ ଯେଉଁ ଆନ୍ତରିକତା ସୃଷ୍ଟି ହୋଇଥିଲା, ତାହା ଆଜି ବି ବଞ୍ଚତ୍ଛି । ସାଙ୍ଗମାନଙ୍କୁ ଦେଖିଲେ ପିଲାଦିନର ସେହି ମୁହୂର୍ତ୍ତଗୁଡ଼ାକ ମନେ ପଡ଼ିଯାଉଛି ।
ମୋ ଜୀବନର ସବୁଠୁ ଚମତ୍କାର ସମୟ : କିଶୋର ମହାନ୍ତି
(ଅବସରପ୍ରାପ୍ତ ସିନିୟର୍‌ ଏକ୍‌ଜିକ୍ୟୁଟିଭ୍‌, ଅଲ୍‌ ଇଣ୍ଡିଆ ରେଡିଓ,କଟକ)
ପୂରାଟା ଜୀବନ ଭିତରେ ସବୁଠୁ ଚମତ୍କାର ସମୟ କ’ଣ ଥିଲା ବୋଲି ଯଦି ପଚରାଯାଏ, ତାହାହେଲେ ସେଇଟା ଥିଲା ମୋ ପିଲାବେଳ। ସେଦିନର କଥାଗୁଡ଼ାକ ମନେପଡିଲେ ଭାରି ହସ ମାଡେ। ମୋର ପିଲାବେଳେ ନାଟକ ଦେଖିବା ପ୍ରତି ଥିଲା ପ୍ରବଳ ଝୁଙ୍କ। ଘରେ ରାଗିବେ ବୋଲି କାହାକୁ କିଛି ନକହି ଲୁଚି ଲୁଚି ନାଟକ ଦେଖିବାକୁ ଯାଉଥିଲି। ଥରେ କ’ଣ ହୋଇଛି ଘରେ ନ କହି ସାହିର ନନ୍ଦି ଦାଦାଙ୍କ ସହ ଯାତ୍ରା ଯିବାକୁ ଯୋଜନା କଲି। ଦାଦା ବି ଥିଲେ ଜଣେ ଯାତ୍ରାପ୍ରିୟ ଓସ୍ତାଦ। ସେଦିନ ତାଙ୍କ ସାଇକେଲ ଆଗରେ ବସି ଚାଲିଲି ଯାତ୍ରା ଦେଖି। ଜେଜେଙ୍କ ତତ୍ତ୍ୱାବଧାନରେ ସେତେବେଳେ
 ମୁଁ ଥାଏ। ଆଉ ଜେଜେ ପ୍ରବଳ ରାଗୀ। ମତେ ଗୋଡ଼େ ଗୋଡ଼େ ଜଗିଥାଆନ୍ତି। ଅନେକ ଥର ଜେଜେମା’ଙ୍କୁ ପାନ ଦି’ ଖଣ୍ଡ ଧରେଇ ଦେଇ ଦଶ-ପନ୍ଦର କିମି ଦୂର ଚାଲିଯାଏ ଯାତ୍ରା ଦେଖିବାକୁ। ସକାଳୁ ଫେରିଆସେ। ସେଦିନ ଫେରିବା ବାଟରେ କେହି ଜଣେ କହିଲା ତୋ ଜେଜେ ସକାଳୁ ତୋତେ ନାଳ ବନ୍ଧରେ ଜଗି ବସିଛନ୍ତି। କ’ଣ କରିବି? ଜେଜେଙ୍କୁ ଲୁଚି ବନ୍ଧ ତଳେ ଗୋଟେ ବଡ଼ ଗାତ ଭିତରେ କିଛି  ସମୟ ଲୁଚିଲି। ସେ କାହା ସହ ଗପି ଗପି ଚାଲିଥାନ୍ତି। ସେ କିଛି ବାଟ ଆଗକୁ ଯିବାରେ ଆର ଦାଣ୍ଡ ବାଟ ଦେଇ ଘରେ ପଶିଗଲି। ହେଲେ ହଠାତ୍‌ ତାଙ୍କ ନଜରରେ ପଡିଗଲି। କି ମାଡ଼ !  ପୂରା ନୋଳା ପଡ଼ିଥିଲା। କିଛି ଦିନ ଏମିତି ଯିବା ପରେ ମନ ହେଲା ନାଚ ପାର୍ଟିଟିଏ ଗଢ଼ିବି। ହେଲେ ପଇସା କୁଆଡୁ ଆସିବ। ହେଲେ ନିଶା ତ ଲାଗିଛି। ସାଙ୍ଗମାନଙ୍କୁ ନେଇ ନାଚପାର୍ଟି ଆରମ୍ଭ କଲି। ମନକୁ ଯାହା ଆସିଲା କଲି। ଅବଶ୍ୟ ଆମ ନାଟ ବି ଦେଖେ କିଏ? ତଥାପି ପୁରୁଣା ଡ୍ରେସପତ୍ର କିଣି ପୌରାଣିକ ନାଟକ ପରିବେଷଣ କଲୁ। ସାହି ଲୋକ ବହୁତ ପ୍ରଶଂସା କଲେ। ଜେଜେଙ୍କ କାନକୁ କଥା ଗଲା। ସାଙ୍ଗମାନଙ୍କ ଘରେ ବି ଖବର ପହଞ୍ଚତ୍ଲା। ଗୁଡାଏ ଗାଳି ଖାଇଲୁ। ତା’ପରେ ଯାତ୍ରା ପୂରା ବନ୍ଦ। ଆଉ ଖେଳ କଥା ନ କହିଲେ ପିଲାବେଳ କଥା ଅଧା ରହିଯିବ। ମୁଁ ଫୁଟବଲ ଖେଳିବାକୁ ଖୁବ ଭଲ ପାଉଥିଲି। ଥରେ ଖେଳୁ ଖେଳୁ ଜଣେ ଏମିତି ମାରିଲେ ଯେ ଫୁଟବଲ ଆସି ମୋ ଛାତିରେ ବାଜିଲା ଆଉ ମୁଁ ବେହୋସ ହୋଇଗଲି। ତା’ପରେ ଫୁଟବଲ କମ୍‌ ଭଲିବଲ ଅଧିକ ଖେଳିଲି। ମତେ ରେଫରି ହେବାକୁ ଭାରି ଭଲ ଲାଗେ। ଏହାଥିଲା ସ୍କୁଲ ସମୟର କଥା, କିନ୍ତୁ ଖୁବ ଛୋଟବେଳେ ବୋହୂଚୋରି, କିତିକିତି, କବାଡି ଆଦି ଖେଳୁ। ରଜ ହେଲେ ବାଗୁଡ଼ି ଖେଳ ବେଶ୍‌ ଜମେ। ମତେ ଖେଳିବା ଅପେକ୍ଷା ଦେଖିବାକୁ ଭାରି ଭଲ ଲାଗେ।
ଶୈଶବ ଏକ ଚିର ମଧୁର ସ୍ମୃତିର ଗନ୍ତାଘର : ଡ. ସରୋଜିନୀ   ଷଡ଼ଙ୍ଗୀ (ସ୍ତ୍ରୀ ଓ ପ୍ରସୂତି ବିଭାଗ)
ସମସ୍ତଙ୍କ ଜୀବନରେ ଶୈଶବ ଏକ ଚିର ମଧୁର ସ୍ମୃତିର ଗନ୍ତାଘର ହୋଇ ରହିଥାଏ। ଏହି ଶାଶ୍ୱତ, ଅମୃତମୟ ମୁହୂର୍ତ୍ତଗୁଡ଼ିକର କଥା ମନେ ପକାଇଲେ ସ୍ମୃତିର ଆକାଶରେ ସହସ୍ର ସହସ୍ର ଇନ୍ଦ୍ରଧନୁ ଉଇଁ ଉଠେ ଏବଂ ତା’ର ସାତଟି ରଙ୍ଗରେ ମନ ଆକାଶ ବର୍ଣ୍ଣାଳୀମୟ ହୋଇଯାଏ। ପିଲାଦିନର ଧୂଳି ଖେଳଠାରୁ ଆରମ୍ଭକରି ପାଠପଢ଼ିବା ପର୍ଯ୍ୟନ୍ତ ଏବଂ ତା’ ସହିତ  କୁନି କୁନି ଦୁଷ୍ଟାମି, ସାଙ୍ଗସାଥୀ, ତଥା କ୍ଲାସ ରୁମ୍‌ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଆମେ ଖେଳିଥିବା ଖେଳ ମଧ୍ୟ ରଙ୍ଗିନ ହୋଇଯାଏ। ପିଲାଦିନ ମୋର କଟିଥିଲା ଅଜା, ଆଈଙ୍କ ପାଖରେ ସୁନ୍ଦରଗଡ଼ରେ। ପଢୁଥିଲି ରାଣୀ ଜାନକୀ ରତ୍ନ ଗାର୍ଲସ ସ୍କୁଲରେ ା ସେଠି ପଢ଼ାପଢ଼ି ବହୁତ ଭଲ ହେଉଥିଲା । ମୋ ଅଜା ସମାଜ ସଂସ୍କାରକ ଓ ଶିକ୍ଷାବିତ୍‌ ବୈରାଗୀ ମିଶ୍ର ପିଲାଦିନେ ମୋର ପାଠ ପଢ଼ାପଢ଼ି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ମୋ ସ୍କୁଲ ଥିଲା ମୋ ପାଇଁ ଏକ ବିରାଟ ପୃଥିବୀ। ସିଲେଇ ଛାଡି ଜ୍ୟାମିତି ନେଲା ବେଳେ ଜ୍ୟାମିତି ମୋ ଜୀବନକୁ ଜ୍ୟୋତିର୍ମୟ କରି ଦେଇଥିଲା। କେତେବେଳେ ତ୍ରିକୋଣୀୟ ତ୍ରିଭୁଜରେ ତ କେତେବେଳେ ଚତୁର୍ଭୁଜର ଚାରୁମୟତାରେ ପୁଣି ପଞ୍ଚଭୁଜ ଓ ଷଡ଼ଭୁଜର ବିଭିନ୍ନତାରେ ଜୀବନ ମୋର ହୋଇଯାଇଥିଲା ପରିପୂର୍ଣ୍ଣ। ଆଜି ଭଳି ଖେଳ ଆମ ସମୟରେ ନଥିଲା। ଆମେ ସ୍କୁଲରେ ଦଉଡା ଦଉଡି, ସ୍କିପିଂ, ଡୁଡୁ ଖେଳ ଓ ପୁଚି ଖେଳ ଖେଳୁଥିଲୁ। ବିଶେଷ ଭାବରେ ରଜରେ ସଜବାଜ ହୋଇ ପଟା ପଟା ଅଳତା ଲଗାଇ ଦୁଇ ପଟେ ଦୁଇଟି ବେଣୀ ଛାଡି ରଙ୍ଗିନ ରିବନ ବାନ୍ଧି ପୁଚି ଖେଳୁଥିଲୁ। ଏଣେ ପୁଣି ଗୀତ ଗାଇ ଗାଇ ‘ଠିଆ ପୁଚି ନାରଙ୍ଗ ଗୋଡ଼ ଦୁଇଟା ସାରଙ୍ଗ’ ଗୀତ ଗାଇ ଠିଆ ପୁଚି ଖେଳ ଖେଳି ପ୍ରାଇଜ ପାଉଥିଲୁ। ଆଜି ଆଉ ସେଦିନ ନାହିଁ କି ପୁଚି ଖେଳ ମଧ୍ୟ ପ୍ରାୟ ନାହିଁ କିନ୍ତୁ ସେଦିନର ସ୍ମୃତି ଏବେବି ମନରେ ଜୀବନ୍ତ ହୋଇ ରହିଛି।
ଫେରି ଆସନ୍ତା କି ମୋର ପିଲାବେଳ: ଶିବ ମିଶ୍ର (କଥାକାର)
ଏବେ କିଛିବର୍ଷ ହେଲା ସହରୀ ରଙ୍ଗ ବୋଳି ହେଉଥିବା ଆମଗାଁ ବାଣପୁର। ମୋ  ପିଲାବେଳେ ଥିଲା ଘନ ଜନବସତିଭରା ଏକ ମଫସଲ ଗାଁ। ଗାଁ ଚାରିପଟେ ଥିବା ଚାଷଜମି, ନଈ ନାଳ ପାହାଡ଼ ମୁଣ୍ଡିଆର ପ୍ରାକୃତିକ ଶୋଭା ଗାଁକୁ କରିଦେଉଥିଲା
ଅପରୂପା ଲାବଣ୍ୟମୟୀ, ମନୋରମ। ସକାଳୁ ସକାଳୁ ଗାଁ ଦାଣ୍ଡରେ ଗୋଡ଼ ଛାଟି ଦଉଡୁଥିବା କଅଁଳିଆ ବାଛୁରି ପଛରେ ଅନ୍ୟ ପିଲାମାନଙ୍କ ସହିତ ମୁଁ ବି ଧାଉଁଥିଲି
ଗଡ଼ ଜିଣିବାକୁ ଯାଉଥିବା ସୈନିକ ପରି। ଗୋଡ଼ ହାତର ହାଡ଼ ଟିକିଏ ପାକଳହେଲା ପରେ, ମୁଣ୍ଡ ମଗଜ ଟିକିଏ ଓସାରିଆ ହେଲାପରେ ପଢିଲୁ ଗାଁ ସ୍କୁଲରେ। ପଢ଼ିଲାବେଳେ ସେହି ପାଖରେ ଥିବା ବଡ଼ ପଡ଼ିଆରେ ସାଙ୍ଗମାନଙ୍କ ସହିତ ଡୁଡୁ, ଗିଲିଦଣ୍ଡା, ପେଣ୍ଡୁ ଖେଳୁଥିଲୁ। ରବର ପେଣ୍ଡୁରେ ଖେଳିବାର ମଜା ନିଆରା ଥିଲା। ସ୍କୁଲରେ ଖରାଛୁଟି ହେଲା ବେଳକୁ ଗାଁ ପାଖ ତୋଟାରେ ଆମ୍ବ ପାଚି ଯାଇଥାଏ। ତୋଟାକୁ ଯାଇ ଫୋପଡ ମାରି ଆମ୍ବ ଝଡେଇବା ସହିତ ଗଛ ଡାଳରେ ଡାଳ-ମାଙ୍କୁଡି ଖେଳ, ତୋଟା ଭିତରେ ଚୋର-ପୋଲିସ ଖେଳ ଖୁବ ଜମେ। ଏହି ସବୁ ଖେଳରେ ଧାଆଁ ଦଉଡ ସାଙ୍ଗକୁ ବୁଦ୍ଧିର କସରତ୍‌ ବି ହୁଏ। ତେଣୁ ସେଇଥିପାଇଁ ବୋଧହୁଏ ଏବେଯାଏ ମୋର ଦେହ ମନ ସୁସ୍ଥ ସତେଜ ରହିଛି। ଏବେ ପିଲାମାନେ ଘର ଅନ୍ଧାରୀ କୋଣରେ ଏକୁଟିଆ ବସି ମୋବାଇଲ ଫୋନରେ ଖେଳୁଛନ୍ତି। ଯେଉଁଥିରେ ବାହାର ଆଲୁଅ ନାହିଁ,ଖୋଲା ପବନ ନାହିଁ, ଅନ୍ୟ ସହିତ ଭାବଦିଆନିଆ ନାହିଁ,ସେ ଖେଳରେ ଲାଭ କ’ଣ? ଆମ ଗାଁ ଶାଳିଆ ନଈରେ ପହଁରିବା, ଘଣ୍ଟଶିଳା ପାହାଡ଼ରେ ଚଢ଼ିବା ଦ୍ୱାରା ଖାଲି ଆନନ୍ଦ ନୁହେଁ, ଶିକ୍ଷା ବି ମିଳିଛି। ଯାହା ଜୀବନ ବାଟରେ ଏତେ ଦୀର୍ଘଯାତ୍ରା ପାଇଁ ମୋତେ ସାହସ ଦେଇଛି, ସାମର୍ଥ୍ୟ ଦେଇଛି। ଗାଁର ସାଙ୍ଗ ସାଥିମାନଙ୍କ ସହିତ ମିଶି ନାଟ ଯାତ୍ରା ଦେଖିବାରେ ଯେଉଁ ସୁଖ ମିଳିଥାଏ, ସିନେମା ଟିଭି ଦେଖିଲାବେଳେ କ’ଣ ସତରେ ସେତିକି ସୁଖ ମିଳୁଛି ? ମୁଁ ଭାବେ, ମାଆର ସ୍ନେହ ଆଦର ଯେମିତି ଆମେ ଜୀବନ ଥିବା ଯାଏ ଭୁଲିପାରୁନା, ସେମିତି ଗାଁ କଥା ବି କେବେ ଭୁଲି ହେବନାହିଁ। ଶେଷରେ ଏତିକି କହିବି – ” ଫେରି ଆସନ୍ତା କି ମୋର ପିଲାବେଳ,ଗାଁ ଦାଣ୍ଡରେ ସାଙ୍ଗମେଳେ ଖେଳନ୍ତି ଖେଳ। ଘରେ, ବୋଉ ମୋତେ ପଚାରନ୍ତା, ବଣକୁ  ଯିବୁ, କୋଳି ଖାଇବୁ? ବାଘ ଆସିଲେ ଡରିବୁନି ତୁ? ନା, ଜମା ଡରିବିନି, କହନ୍ତି ମୁଁ, ହେଲେ ଆଖିମୋର ବୁଜିହୋଇ ଯାଉଥାନ୍ତା,ବୋଉ କରିଦେଲେ ‘ଫୁ’।“
ଏ କଥା ସତ ମଣିଷର ମାନସିକ ବିକାଶ ସହିତ ଶାରୀରିକ ବିକାଶ ଜରୁରୀ। ଆଉ ଶାରୀରିକ ବିକାଶ ସକାଶେ ଖେଳର ଭୂମିକା ସବୁଠୁ ଅଧିକ। ପିଲାଟିଏ ନିଜେ ଖେଳ ମାଧ୍ୟମରେ ଘାସ, ପତ୍ର, କାଗଜ, କାଠି, ବାଲି ଓ ମାଟିରେ ବିଭିନ୍ନ ଜିନିଷ ତିଆରି କଲେ ତାହାର ସୃଜନଶକ୍ତି ବୃଦ୍ଧିପାଏ। ଜିନିଷକୁ ସୁନ୍ଦର କରି ଗଢ଼ିବା ପାଇଁ ନିଜେ ଚିନ୍ତା କରେ ଓ ପରିଶ୍ରମ କରେ। କିନ୍ତୁ ବାହାରକୁ ନ ବାହାରି, କାହାରି ସହିତ ନ ମିଶି ଘରେ ବସି ମୋବାଇଲରେ ଖେଳିଲେ ତାହା ହୋଇପାରେନାହିଁ। ସାମାଜିକ ସମ୍ପର୍କ ସ୍ଥାପନ ହୋଇପାରେ ନାହିଁ । ଯାହା ପିଲାର ଭବିଷ୍ୟତ ପାଇଁ ଆଦୌ ଶୁଭଙ୍କର ନୁହେଁ।

Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri