ପିଲାଦିନ କଥା ମନେରହେନା

ଡା. ସମ୍ରାଟ କର

 

ଆପଣଙ୍କ ପିଲାଦିନର କଥା ମନେଅଛି? ଘରେ ବଡ଼ ସାନ ଭାଇଭଉଣୀଙ୍କ ସହ କିପରି ଖେଳୁଥିଲେ, ଗାଁ ଦାଣ୍ଡରେ କୁନି ସାଥି ସାଙ୍ଗଙ୍କ ସହ ଧୂଳିବାଲି ଘରର ଫୋପଡ଼ାଫୋପଡ଼ି ଆଉ ମିଳାମିଶା ମନେଅଛି? ଗାଁ ମୁଣ୍ଡ ଅବଧାନଙ୍କ ଚାଟଶାଳୀର ପଣିକିଆ ଘୋଷା ହେଉ ବା ଖରାଦିନେ ଗଛରୁ ନଈପାଣିକୁ ଡେଇଁବାର ସ୍ମୃତି କହିପାରିବେ ଆପଣ? ଏମିତି ଅନେକ କଥା। ପିଲାଦିନର କଥା କେତେଜଣ ମନେରଖନ୍ତି ତ ଆଉ କେତେକ ଲୋକ ଭୁଲିଯାଇଥା’ନ୍ତି। ମାତ୍ର ସ୍ମୃତିବିଜଡ଼ିତ ବାଲ୍ୟକାଳର ସବୁ ଘଟଣା ସ୍ମରଣ କଲାଭଳି ଦକ୍ଷତା କ୍ୱଚିତ୍‌ ଲୋକଙ୍କର ଥାଏ। କିନ୍ତୁ ପ୍ରଶ୍ନ ହେଉଛି ଏପରି ହୁଏ କାହିଁକି? ଶିଶୁମନସ୍ଥ କ୍ଷେତ୍ରକୁ ଦେଖିଲେ ଏପ୍ରକାର ଅବସ୍ଥାକୁ ବାଲ୍ୟ ବିସ୍ମରଣ କୁହାଯାଏ। ସ୍ମରଣଶକ୍ତିକୁ ଅନୁଶୀଳନ କରାଯାଇ ଏହାକୁ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା- କ୍ଷଣସ୍ଥାୟୀ ସ୍ମୃତିଶକ୍ତି ଓ ଦୀର୍ଘସ୍ଥାୟୀ ସ୍ମୃତିଶକ୍ତି। ଦୀର୍ଘସ୍ଥାୟୀ ସ୍ମରଣଶକ୍ତି ମସ୍ତିଷ୍କର ପ୍ରମୁଖ ବ୍ୟବସ୍ଥାପନା ଅଞ୍ଚଳରେ ମହଜୁଦ୍‌ ହୋଇ ରହେ। ମାତ୍ର ବାଲ୍ୟ ଅବସ୍ଥାରେ ଏହା ପୂର୍ଣ୍ଣ ବିକଶିତ ହୋଇ ନ ଥାଏ। ପୁଣି ବାଲ୍ୟ ଅବସ୍ଥାରେ କ୍ଷଣସ୍ଥାୟୀ ସ୍ମୃତିଶକ୍ତି ଉପରେ ଶିଶୁ ନିର୍ଭରଶୀଳ ଥାଏ। ଏହି ବ୍ୟବସ୍ଥାରେ କୋଷଗୁଡ଼ିକ ବାରମ୍ବାର ନଷ୍ଟ ହେଉଥିବାରୁ ରେକର୍ଡ ହୋଇ ରହୁଥିବା ସ୍ମୃତି ଉଭେଇଯାଏ। ସେହିପରି ଦ୍ୱିତୀୟ କାରଣଟି ହେଲା କୌଣସି ଘଟଣାକୁ ସ୍ମୃତିପଟ୍ଟରେ ସାଇତି ରଖିବା ବାକ୍‌ଶକ୍ତି ଉପରେ ନିର୍ଭରଶୀଳ। କାରଣ କୌଣସି ଘଟଣା ଉପରେ ଏକାଧିକବାର ଆଲୋଚନା କଲେ ତାହା ମାନସପଟ୍ଟରେ ଲିପିବଦ୍ଧ ହୋଇ ରହିଯାଏ। ମାତ୍ର ଶିଶୁ ଅବସ୍ଥାରେ ବାକ୍‌ଶକ୍ତି ପୂର୍ଣ୍ଣ ବିକଶିତ ହୋଇ ନ ଥିବାରୁ କୌଣସି ଘଟଣା ମନେରଖିବାରେ ଅନ୍ତରାୟ ହୋଇଥାଏ।
ପିଲାଦିନର କଥା ମନେ ନ ରଖିବା ଏକ ରୋଗ ବା ସମସ୍ୟା ବୋଲି ଭାବନ୍ତୁନି। ବୟସ ବଢ଼ିବା ସହ ମଣିଷର ଶାରୀରିକ ଦକ୍ଷତା ଓ ଶକ୍ତି ଦିନକୁ ଦିନ କ୍ଷୟ ହୁଏ। ଏହା ବ୍ୟତୀତ ତେଲଲୁଣ, ଘରସଂସାର ଚାପ ହେଉ ବା କର୍ମଦାୟିତ୍ୱର ବୋଝ, ଆଖପାଖର ବ୍ୟବସ୍ଥା, ଦାୟିତ୍ୱ ଓ ଚାପ ମଧ୍ୟ ଏ କ୍ଷେତ୍ର ପାଇଁ ଅନ୍ୟତମ କାରଣ ହୋଇଥାଏ। ସ୍ମରଣଶକ୍ତି କମ୍‌ ଥିବା ନେଇ କାହାକୁ ସମାଲୋଚନା କରନ୍ତୁ ନାହିଁ। ଆଉ ଗୋଟିଏ କଥା, ଏ କ୍ଷେତ୍ରରେ ପିଲାମାନଙ୍କୁ ପ୍ରାଥମିକ ଅବସ୍ଥାରେ ଛୋଟ ଛୋଟ ଶବ୍ଦ କୁହନ୍ତୁ, ଯେପରି ସେ ବୁଝିପାରିବ। ଆବଶ୍ୟକ ବିଶ୍ରାମ, ସୁଷମ ଖାଦ୍ୟ ଓ ଶାରୀରିକ ବ୍ୟାୟାମ, ଯୋଗାସନ ଏହା ପାଇଁ ଅମୃତ ସଞ୍ଜୀବନୀ ସଦୃଶ କାମକରେ। ସବୁଜ ପନିପରିବା, ତଟକା ଫଳ ଓ ପୁଷ୍ଟିକର ଖାଦ୍ୟ ବହୁତ ଭଲ। ଏ କ୍ଷେତ୍ରରେ ଘିଅ, କ୍ଷୀର, ଛେନା, କିସ୍‌ମିସ୍‌ ବା ଛୋଟମାଛ ବହୁତ ହିତକର। ଦେଶୀ ଅଣ୍ଡା ଭଲ କିନ୍ତୁ ଏହାକୁ ଦୈନିକ ନ ଦେଇ ନିୟମିତ ବ୍ୟବଧାନରେ ଦିଅନ୍ତୁ। ଶାରୀରିକ ବ୍ୟାୟାମ ଭାବରେ ସନ୍ତରଣ, ପଦଭ୍ରମଣ, ସାଇକେଲ ଚାଳନା ଖୁବ୍‌ ଉତ୍ତମ। କେହି କେହି ଯୋଗାସନ ଭିତରେ ଶ୍ରେଷ୍ଠ କୁହାଯାଉଥିବା ଶୀର୍ଷାସନ ବା ସର୍ବାଙ୍ଗାସନକୁ ଗୁରୁତ୍ୱ ଦିଅନ୍ତି କିନ୍ତୁ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆସନ କରିବା ପୂର୍ବରୁ ନିଜ ଶାରୀରିକ କ୍ଷେତ୍ରକୁ ଦେଖନ୍ତୁ। ପିଲାମାନଙ୍କୁ ବର୍ତ୍ତମାନ ସମୟରେ ଅଭିଭାବକମାନେ ବିଭିନ୍ନ ପାଠ୍ୟକ୍ରମ ଓ ଭବିଷ୍ୟତର କର୍ମନିଯୁକ୍ତିର ଏକ ସୁନିଶ୍ଚିତ ଯୋଜନାକୁ ଦୃଷ୍ଟିରେ ରଖି ଅନେକ ପାଠ୍ୟକ୍ରମର ଚାପ ସୃଷ୍ଟି କରୁଛନ୍ତି, ଯାହାକି ପିଲାଟିର ମାନସିକ କ୍ଷେତ୍ରକୁ ଭାରାକ୍ରାନ୍ତ କରିଥାଏ। ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଶିକ୍ଷାୟତନର ପାଠପଢ଼ାର ଚାପ ଓ ଘରେ ଅଭିଭାବକଙ୍କ ପାଠ ସହ ବ୍ୟକ୍ତିଗତ ଆଚରଣକୁ ନେଇ ଯେଉଁ ମନସ୍ତାତ୍ୱିକ ଚାପ ରହିଥାଏ ଏହା ପିଲାର ମାନସିକ ସନ୍ତୁଳନକୁ ବିଗାଡ଼ିଦେବାର ସମ୍ଭାବନା ରଖିଥାଏ। ଯଦି ମନେ ରହୁନାହିଁ ତେବେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
କେହି କହି ଇଆଡ଼ୁସିଆଡୁ କଥା କହି ତୁଟୁକା ଚିକିତ୍ସା କଥା କହିଲେ ତାଙ୍କୁ ଆପଣ ଏଡ଼ାଇ ଦିଅନ୍ତୁ। କାରଣ ଏହା ଏକ ରୋଗ ନୁହେଁ ବା ଏହାକୁ ନେଇ ଜଣଙ୍କ ଜୀବନରେ ସେପରି କିଛି କ୍ଷତି ବି ହେବନାହିଁ। ଖୋଲା ପବନ ରହୁଥିବା ସ୍ବଚ୍ଛ ପରିବେଶସମ୍ପନ୍ନ ସ୍ଥାନରେ କିଛି ସମୟ ନୀରବ ବସନ୍ତୁ। ମୋବାଇଲ, ଲାପ୍‌ଟପ୍‌, ସୋସିଆଲ ସାଇଟ୍‌ ଏହାର ବ୍ୟବହାରଠାରୁ ଦୂରେଇ ରଖିବା ଭଲ। ସବୁଠାରୁ ଉତ୍କୃଷ୍ଟ ହେଉଛି କିଛି ସମୟ ଧ୍ୟାନ କରିବା, ଯାହାପାଇଁ ପ୍ରତ୍ୟୁଷର ବ୍ରାହ୍ମ ମୁହୂର୍ତ୍ତ ବା ସନ୍ଧ୍ୟା ସମୟ ଉତ୍ତମ ମୁହୂର୍ତ୍ତ। ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ସଦାସର୍ବଦା ନାମ ସ୍ମରଣ କରିବା ଏକ ଭଲ ଅଭ୍ୟାସ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ, ପୁରୀଘାଟ ରୋଡ୍‌, କଟକ
ମୋ: ୯୧୩୨୪୩୩୩୩୩

 

 


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri