ପିଲାଙ୍କୁ ଜାଳି ଦିଆଯାଉଛି, ମହିଳାଙ୍କ ସହ ବଳାତ୍କାର: ହମାସର ଆତଙ୍କରାଜକୁ ନେଇ ପୋପଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ

ଜେରୁଜେଲମ,୨୫।୧୨: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ୍‌jସ୍ତ୍ରୀ ସାରା ନେତାନ୍ୟାହୁ ପୋପ ଫ୍ରାନ୍ସିସଙ୍କୁ ଇସ୍ରାଏଲ-ହମାସ ଯୁଦ୍ଧରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସେ ବନ୍ଧକମାନଙ୍କୁ ବିନା ସର୍ତ୍ତରେ ମୁକ୍ତ କରିବା ସଂପର୍କରେ ପୋପଙ୍କୁ ହସ୍ତକ୍ଷେପ କରିବାକୁ କହିଛନ୍ତି। ସାରା ନେତାନ୍ୟାହୁ ପୋପ ଫ୍ରାନ୍ସିସଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ହମାସର ଆତଙ୍କରାଜ ବିଷୟରେ ଉଲ୍ଲେଖ କରାଯାଇଛି। ହମାସ ଯୋଦ୍ଧାମାନେ ନିରୀହ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି ଏବଂ ନବଜାତ ଶିଶୁମାନଙ୍କୁ ଜାଳି ଦିଆଯାଉଛି। ଏହା ବ୍ୟତୀତ ସେ ଚିଠିରେ ମହିଳାଙ୍କ ବଳାତ୍କାର ବିଷୟରେ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି।
ସାରା ଲେଖିଛନ୍ତି, ଅତ୍ୟାଚାରର ୭୮ ଦିନ ପରେ ହମାସ ୧୨୯ ପୁରୁଷ, ମହିଳା ଏବଂ ଶିଶୁଙ୍କୁ ବନ୍ଧକ ରଖିଛି। ସେମାନଙ୍କ ମଧ୍ୟରୁ ଅନେକ ଆହତ ଏବଂ ଅସୁସ୍ଥ ଅଛନ୍ତି। ସେମାନେ ଭୋକରେ ପୀଡିତ ଅଛନ୍ତି ଏବଂ ବଞ୍ଚିବା ପାଇଁ ଆବଶ୍ୟକ ମୌଳିକ ଔଷଧରୁ ବଞ୍ଚିତ ହୋଇଛନ୍ତି। ଏହା ସବୁଠାରୁ ବର୍ବର ଘଟଣା।
ସାରା ନେହା ଅରଗାମେନି ନାମକ ଜଣେ ବନ୍ଧକ ବିଷୟରେ ଉଲ୍ଲେଖ କରିଥିଲେ। ଅକ୍ଟୋବର ୭ରେ ହମାସ ଆକ୍ରମଣ ସମୟରେ ତାଙ୍କୁ ଅପହରଣ କରାଯାଇଥିଲା। ନେହାଙ୍କ ମା’ ଷ୍ଟେଜ ୪ ମସ୍ତିଷ୍କ କର୍କଟ ସହିତ ଲଢୁଛନ୍ତି ଏବଂ ପ୍ରକୃତରେ ସେ ତାଙ୍କ ଝିଅକୁ ଭେଟିବାକୁ ଚାହୁଁଛନ୍ତି। ସାରା କହିଛନ୍ତି, ମୁଁ ପୋପ ଫ୍ରାନ୍ସିସଙ୍କୁ ବ୍ୟକ୍ତିଗତ ଭାବରେ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ସେ ହସ୍ତକ୍ଷେପ କରିବାକୁ କହୁଛି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବାରୁ ଏହାର ୧,୨୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ଆତଙ୍କବାଦୀମାନେ ୨୪୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ଏହା ପରେ ଇସ୍ରାଏଲ୍‌ର କ୍ରମାଗତ ଆକ୍ରମଣରେ ଗାଜା ଷ୍ଟ୍ରିପ୍‌ର ୨୦,୪୦୦ରୁ ଅଧିକ ଲୋକେ ପ୍ରାଣ ହରାଇଲେଣି। ୨୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗାଜାର ୮୫ ପ୍ରତିଶତ ଲୋକ ଘରଦ୍ୱାର ଛାଡ଼ି ପଳାଇଗଲେଣି। ଦିନକ ପୂର୍ବରୁ ସେଠାରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା।

Share