ଇଣ୍ଡୋନେସିଆରେ କରୋନାର ତୃତୀୟ ଲହର

ଜାକର୍ତ୍ତା,୨୬ ।୭: କରୋନା ମହାମାରୀର ତୃତୀୟ ଲହରକୁ ନେଇ ପୁଣିଥରେ ବିଶେଜ୍ଞମାନେ ଚେତାବନୀ ଦେଇଛନ୍ତି । ଏହି ତୃତୀୟ ଲହର ଶିଶୁମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବା ଅନୁମାନ କରାଯାଇଥିବା ବେଳେ ଏଥିପାଇଁ ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଯାହା ଏବେ ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି । ସେଠାରେ କରୋନା ସଂକ୍ରମଣରେ ଶହ ଶହ ଶିଶୁଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି । ଏମାନଙ୍କ ବୟସ ୫ ବର୍ଷରୁ ବି କମ୍ ହେବ ବୋଲି କୁହାଯାଉଛି । ଇଣ୍ଡୋନେସିଆରେ ଗୋଟିଏ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣରେ ୧୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହେଲାଣି । ଶୁକ୍ରବାର ଏଠାରେ ପାଖାପାଖି ୫୦ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧,୫୬୬ ଜଣଙ୍କ ମୃତ୍ୟୁ ହୋଇଛି । ଏକ ରିପୋର୍ଟର ସୂଚନା ଅନୁଯାୟୀ ଇଣ୍ଡୋନେସିଆରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୨.୫ ପ୍ରତିଶତ ହେଉଛନ୍ତି ଶିଶୁ । ଜୁଲାଇ ୧୨ ସପ୍ତାହରେ ୧୫୦ରୁ ଊର୍ଦ୍ଧ୍ୱ ଶିଶୁଙ୍କର କରୋନାରେ ମୃତ୍ୟୁ ହୋଇଥିବା କୁହାଯାଏ ।

Share