ଅର୍ଥ ଉପାର୍ଜନ ଲାଗି ବିପଦରେ ଶିଶୁ

ପାରଳାଖେମୁଣ୍ଡି,୨୫।୬(ପାରଳାଖେମୁଣ୍ଡି):ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ବିଭିନ୍ନ ଜାକଜକମ ସାମଗ୍ରୀ ଠାରୁ ଆରମ୍ଭ କରି ମୀନାବଜାର, ବିଭିନ୍ନ ଦୋକାନମାନ ଖୋଲାଯାଇଛି। ସେହିପରି ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଲୋକେ ନାନା ଉପାୟରେ ଅର୍ଥ ଉପାର୍ଜନ କରୁଛନ୍ତି। କେହି ଭିକ ମାଗୁଛନ୍ତି ତ ଆଉ କିଏ ବିଭିନ୍ନ ବେଶରେ ଟଙ୍କା ମାଗୁଥିବା ଦେଖିବାକୁ ମିଳୁଛି। ଯାତ୍ରାକୁ ଆସୁଥିବା ଅଧିକାଂଶ ଲୋକେ ଏମାନଙ୍କ ପ୍ରତି ଦୟାଦେଖାଇ ୫ଟଙ୍କାରୁ ୧୦ଟଙ୍କା ଦେଉଥିବା ଦେଖାଯାଉଛି। ହେଲେ ଅର୍ଥ ଉପାର୍ଜନ ନିମନ୍ତେ ଶିଶୁଙ୍କୁ ବିପଦ ମୁହଁକୁ ଠେଲି ଦେଉଥିବା ଆଲୋଚନା ହେଉଛି। ଶିଶୁଙ୍କୁ ବିଭିନ୍ନ ବେଶ ଲାଗି ରାସାୟନିକ ରଙ୍ଗ ବୋଳି ଦେଇଥାନ୍ତି ଏବଂ ସେମାନଙ୍କୁ ଚରିତ୍ର ବେଶ ଅନୁଯାୟୀ ଠିଆ ହେବାକୁ କହିଥାନ୍ତି । ନିରୂପାୟ ଶିଶୁମାନେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିଥାନ୍ତି। ଦେହରେ ରାସାୟନିକ ରଙ୍ଗ ସାଙ୍ଗକୁ ଖରା ବର୍ଷାରେ ଠିଆ ହୋଇ ରହୁଛନ୍ତି। ଏହି ଶିଶୁମାନଙ୍କୁ ବେଶ ପକାଇବା ପାଇଁ ଆଣିଥିବା ଲୋକେ ଅର୍ଥ ଉପାର୍ଜନ କରି ଲାଭାନ୍ବିତ ହେଉଛନ୍ତି। ହେଲେ ନିରୀହ ଶିଶୁମାନେ ଭବିଷ୍ୟତରେ ଯେ ବିପଦର ସମ୍ମୁଖୀନ ହେବେ ସେ ନେଇ ସେମାନଙ୍କ ନଜର ନାହିଁ। ରାଜ୍ୟ ସରକାର ଶିଶୁଙ୍କ ଯତ୍ନ ଲାଗି ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜିଲାରେ ଶିଶୁ ଯତ୍ନ ଲାଗି ବିଭିନ୍ନ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ଏହି ଦୃଶ୍ୟ ଦେଖିଲେ ପ୍ରଶାସନ ଯେପରି ଆଖିବୁଜିଦେଇଥିବା ଭଳି ମନେହୁଏ। ଏପରି ଶିଶୁଙ୍କୁ ତାଡନା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Share