୫ରୁ ୧୧ ବର୍ଷର ପିଲା ନେବେ ଫାଇଜର ଟିକା

ଓ୍ବାଶିଂଟନ, ୩୧।୧୦: ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ଫାଇଜର-ବାୟୋଏନ୍‌ଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକାକୁ ୫ରୁ ୧୧ ବର୍ଷ ବୟସ ବର୍ଗର ପିଲାମାନଙ୍କ ନିମନ୍ତେ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବୟସବର୍ଗର ପିଲାଙ୍କୁ କୋଭିଡ୍‌ ସଂକ୍ରମଣରୁ ସୁରକ୍ଷା ଦେବା ନିମନ୍ତେ ମଞ୍ଜୁରୀ ପାଇବାରେ ଫାଇଜର ପ୍ରଥମ ଟିକା। କମ୍ପାନୀର ସମସ୍ତ ତଥ୍ୟ ଅନୁଧ୍ୟାନ କରିବା ସହ ନିରପେକ୍ଷ ଉପଦେଷ୍ଟା କମିଟି ବିଶେଷଜ୍ଞମାନଙ୍କ ବିବରଣୀକୁ ତର୍ଜମା କରିବା ପରେ ଏଫ୍‌ଡିଏ ପିଲାମାନଙ୍କୁ ପାଇଁ ଉକ୍ତ ଟିକାକୁ ମଞ୍ଜୁରୀ ଦେବା ନିମନ୍ତେ ଭୋଟ ମାଧ୍ୟମରେ ନିଷ୍ପତ୍ତି ନେଇଥିଲା। ଦୁଇ ଡୋଜ୍‌ ବିଶିଷ୍ଟ ଏହି ଟିକା ୩ ସପ୍ତାହ ଅନ୍ତରରେ ପ୍ରଦାନ କରାଯିବ। ୧୨ ବର୍ଷ ଓ ତଦୂର୍ଦ୍ଧ୍ୱଙ୍କୁ ପ୍ରତି ଡୋଜ୍‌ରେ ୩୦ ମିଲିଗ୍ରାମ ଦିଆଯାଉଥିବାବେଳେ ୫ରୁ ୧୧ ବର୍ଷ ବୟସର ପିଲାଙ୍କୁ ୧୦ ମିଲିଗ୍ରାମ ଦିଆଯିବ। କ୍ଲିନିକାଲ ପରୀକ୍ଷାରୁ ଫାଇଜର ଟିକା କୋଭିଡ୍‌ ସଂକ୍ରମଣ ରୋକିବାରେ ୯୦.୭ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। ଏହାର ନିରାପତ୍ତାକୁ ନେଇ ପ୍ରାୟ ୩,୧୦୦ ପିଲାଙ୍କ ଉପରେ ପରୀକ୍ଷା କରାଯାଇଥିଲା। ତେବେ କୌଣସି ପିଲାଙ୍କଠାରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନ ଥିଲା ବୋଲି ଏଫ୍‌ଡିଏ ପକ୍ଷରୁ କୁହାଯାଇଛି।

 

Share