
ଅମରପାଲି,୨୭ା୩(ପୀତାମ୍ବର ସାହୁ): ଶିକ୍ଷା ସମସ୍ତଙ୍କ ପାଇଁ ଆବଶ୍ୟକୀୟ। ମାତ୍ର ଉତ୍ତମ ଶିକ୍ଷା ପାଇଲେ ପିଲାମାନେ ଭବିଷ୍ୟତରେ ଭଲ ମଣିଷ ହେବାର ଅଧିକ ସମ୍ଭାବନା ରହିଥାଏ। କୁଶିକ୍ଷା ପିଲାଙ୍କୁ ଅବାଟକୁ ନେଇଥାଏ। ଉତ୍ତମ ଶିକ୍ଷା ସହିତ ଉତ୍ତମ ଚରିତ୍ର ଗଠନ ପାଇଁ ନିଜ ନିଜ ପିଲାଙ୍କୁ ସଚେତନ କରବା ଉଚିତ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଜୋନ୍ -୨ ଜିଲାପରିଷଦ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତର ଘିଚାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଅନୁଷ୍ଠିତ ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମରେ ଯୋଗଦେଇ ମଞ୍ଚାସୀନ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିତୀୟା ଝାଙ୍କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବାର୍ଷିକୋତ୍ସବ ସଭାରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ ମନ ଦେଇ ପାଠ ପଢିବାକୁ ପରାମର୍ଶ ଦେଇଥିଲେ। ଏହା ସହିତ ଆମ ସଂସ୍କୃତି ବଞ୍ଚିଲେ ଆମ ପରିଚୟ ବଞ୍ଚି ରହିବ ବୋଲି ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାମଚନ୍ଦ୍ର କଲତା, ପୂର୍ବତନ ସ୍କୁଲ ପରିଚାଳନା କମିଟିର ସଭାପତି ହରିହର ବେହେରା,ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଭାପତି ମାଧବ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍କୁଲର ବିଭିନ୍ନ ସମସ୍ୟା ଉପରେ ବ୍ଲକ ଉପାଧ୍ୟକ୍ଷ ଙ୍କୁ ଅବଗତ କରାଇଥିଲେ। ସହକାରୀ ଶିକ୍ଷକ ମଦନ ସୁନ୍ଦର ଭୋଇ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଦିତୀୟା ଝାଙ୍କର ସ୍କୁଲର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ମଞ୍ଜୁଳା ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ସଭା ପରେ ସ୍କୁଲର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, ଅଭିଭବିକା,ଅଭିଭାବକ,ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ସମସ୍ତ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।