ସପ୍ତାହରେ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳିପାରିବେ ଛୋଟପିଲା,ସରକାରଙ୍କ ଘୋଷଣା…

ବେଜିଂ,୩୧।୮: ଏଣିକି ଛୋଟ ପିଲା ସପ୍ତାହରେ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳି ପାରିବେ। ଏନେଇ ଚାଇନା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ଛୋଟ ପିଲାଙ୍କ ଖେଳ ଉପରେ ଏବେ ପହରା ଲାଗିଛି। ଛୋଟପିଲାଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଛି। ପିଲାମାନେ ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା ବନ୍ଦ କରିବାରୁ ସମ୍ପୃକ୍ତ କମ୍ପାନୀ ଗୁଡ଼ିକର ଶେୟାର ବଜାରରେ କମିବାରେ ଲାଗିଛି। ସରକାରୀ ନିୟମ ଅନୁସାରେ ୧୮ ବର୍ଷରୁ କମ୍‌ ବୟସ୍କ ପିଲାମାନେ ଶୁକ୍ରବାର,ଶନିବାର ଏବଂ ରବିବାର ୧ ଘଣ୍ଟା କରି ମୋଟ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳି ପାରିବେ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅନ୍‌ଲାଇନ୍‌ ଗେମ୍‌ ଛୋଟପିଲାଙ୍କ ପାଇଁ ଏକ ନିଶାଦ୍ରବ୍ୟ ଭଳି ପାଲଟିଛି। ସେମାନେ ଯେକୌଣସି ମତେ ଅନ୍‌ଲାଇନ୍‌ ଖେଳ ଖେଳିବାକୁ ଚାହୁଁଛନ୍ତି। ପିଲାଙ୍କ ଏଭଳି ସ୍ଥିତି ନେଇ ଅଭିଭାବକମାନେ ମଧ୍ୟ ଚିନ୍ତିତ ରହୁଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Share