ପୁଣି ନକଲି କଫ୍‌ ସିରପ ପିଇ ୬ ଶିଶୁ ମୃତ, ଭାରତକୁ ସାହାର୍ଯ୍ୟ ମାଗିଲା ହୁ

ଲଣ୍ଡନ,୨୧।୭: ନକଲି କଫ ସିରପ ଯୋଗୁ ପୁଣି କିଛି ଶିଶୁଙ୍କ ମୃତ୍ୟୁ ହୋଇଛି। ନକଲି କଫ ସିରପ ପିଇବା ଯୋଗୁ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ୨୦୨୨ ମସିହାରେ ଗାମ୍ବିଆ, ଉଜବେକିସ୍ତାନ ଏବଂ ଇଣ୍ଡୋନେସିଆରେ କଫ୍‌ ସିରପ ପିଇ ୩୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିଲା।
ତେବେ ଘଟଣାର ତଦନ୍ତ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ) ଭାରତୀୟ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡିଛି। ହୁ ନେଚରକୋଲ୍ଡ ନାମକ ଏକ କଫ୍‌ ସିରପକୁ ଚେତାବନୀ ଦେଇଛି। ଏହି ସିରପକୁ କାମେରୁନରେ ବିକ୍ରି କରାଯାଉଥିଲା। ଏହି ସିରପ ପିଇ ୬ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ହୁ ଅନୁଯାୟୀ, ଏହି ସିରପରେ ଅଧିକ ମାତ୍ରାରେ ଡାଇଥାଇଲନ ଗ୍ଲାଇକଲ ମିଶାଯାଇଛି। ନେଚରକୋଲ୍ଡ ସିରପର ନିର୍ମାତା ଫ୍ରେକେନ ଇଣ୍ଟରନ୍ୟାସନାଲ ନିଜକୁ ଇଂଲଣ୍ଡର କମ୍ପାନୀ ବୋଲି ଘୋଷଣା କରିଛନ୍ତି। କିନ୍ତୁ ବ୍ରିଟେନର ଅଧିକାରୀମାନେ କହିଛନ୍ତି ଯେ, ସେହି ନାମରେ କୌଣସି କମ୍ପାନୀ ତାଙ୍କ ଦେଶରେ ନାହିଁ। ଏହା ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଭାରତର ଔଷଧ ନିୟାମକ ସହିତ ଯୋଗାଯୋଗ କରି କୌଣସି ଭାରତୀୟ କମ୍ପାନୀ ଏଥିରେ ସାମିଲ ଅଛନ୍ତି କି ନାହିଁ ପତ୍ତା ଲଗାଇବାକୁ କହିଛନ୍ତି। ହୁ ଅନ୍ୟ ଦେଶର କମ୍ପାନୀଗୁଡିକ ସହିତ ମଧ୍ୟ ଯୋଗାଯୋଗ କରୁଛି।

Share