ନୋଏଡା, ୨୦।୮: ବିଶ୍ୱ ମହାମାରୀ କରୋନ ଭାଇରସ୍ ସହ ଲଢ଼େଇ କରୁଥିବା କରୋନା ଯୋଦ୍ଧାଙ୍କ ପିଲାଙ୍କ ଲାଗି ଖୁସି ଖବର। ଗ୍ରେଟର ନୋଏଡାସ୍ଥିତ ନୋଏଡା ଇଣ୍ଟରନ୍ୟାଶନାଲ ବିଶ୍ୱବିଦ୍ୟାଳୟ କରୋନା ଯୋଦ୍ଧାଙ୍କ ପିଲାଙ୍କୁ ଅଧ୍ୟୟନ ଲାଗି ସ୍କଲାରଶିପ୍ ପ୍ରଦାନ କରିବ। ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଅବସରରେ ଗୁରୁବାର ଏହା ଘୋଷଣା କରାଯାଇଛି।
ପ୍ରଦେଶର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ନୋଏଡା ଇଣ୍ଟରନ୍ୟାଶନାଲ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ବିକ୍ରମ ସିଂ କହିଛନ୍ତି, ବିଶ୍ୱରେ କରୋନା ସହ ଲଢ଼େଇ କରୁଥିବା ଯୋଦ୍ଧାଙ୍କ ପିଲାମାନଙ୍କୁ ଏହି ସ୍କଲାରଶିପ୍ ପ୍ରଦାନ କରାଯିବ। କରୋନା ବିରୋଧରେ ଆଗ ଧାଡ଼ିରେ ଲଢ଼େଇ ଜାରି ରଖିଥିବା ପୋଲିସ କର୍ମଚାର, ଡାକ୍ତର, ଗଣମାଧ୍ୟମ ପ୍ରତିନିଧି, ପାରା ମେଡିକାଲ କର୍ମଚାରୀ, ପରିମଳ କର୍ମଚାରୀଙ୍କୁ ସମ୍ମାନିତ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। କରୋନା ଯୋଦ୍ଧାଙ୍କ ପିଲାମାନେ ଏଠାରେ ନାମ ଲେଖାଇଲେ ଫି’ରେ ୨୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଏହି ସ୍କଲାରଶିପ୍ରେ ଟ୍ୟୁସନ ଫି, ବୋର୍ଡିଂ ଫି ଓ ଅନ୍ୟାନ ସମସ୍ତ ଫି ଅନ୍ତର୍ଭୁକ୍ତ ରହିଛି। କିନ୍ତୁ ସ୍କଲାରଶିପ୍ ପାଇଁ ଏକ ସର୍ତ୍ତ ରହିଛି। କରୋନା ଯୋଦ୍ଧାଙ୍କ ପିଲାମାନେ ପ୍ରତ୍ୟେକ ସେମିଷ୍ଟାରରେ ୬୦ ପ୍ରତିଶତ ନମ୍ବର ରଖିବା ଆବଶ୍ୟକ। ନୋଏଡା ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ୧୫୦ ବିଷୟରେ ଅଧ୍ୟୟନ କରାଯାଇଥାଏ। ଏଠାରେ ୨୯ ଦେଶର ୪ ହଜାରରୁ ଅଧିକ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି।