Categories: ଜାତୀୟ

ପିଲାଙ୍କ ଖେଳ ହେଲା କାଳ: ‘ଲକ୍ଷ୍ମଣ ରେଖା’ ନେଲା ୩ ଜୀବନ

ନାଗୌର, ୨୫।୮: ରାଜସ୍ଥାନର ନାଗୌର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପିଲାଙ୍କର ଅସାବଧାନତା କେତେ ଯେ ଭୟଙ୍କର ହୋଇପାରେ ତାହା ଏହି ଘଟଣାରୁ ଜଣାପଡ଼ିଛି। ରିପୋର୍ଟ ମୁତାବକ ଜିଲାର ପାଞ୍ଚୋଡି ପୋଲିସ ଷ୍ଟେସନ ଅନ୍ତର୍ଗତ ଖ୍ୟାରି କର୍ମସୌତ୍‌ ଗ୍ରାମରେ ଓମ୍‌ ପ୍ରକାଶ ସ୍ତ୍ରୀ କାନି ଦେବୀ(୩୦ ବର୍ଷ) ଏବଂ ୨ ପୁଅ ରାକେଶ (୬), ସୋନୁ (୫) ଓ ଝିଅ ଉର୍ମିଳା (୩) ସହ ରୁହନ୍ତି। ସୋମବାର ଓମ୍‌ ପ୍ରକାଶଙ୍କ ପିଲାମାନେ ଖେଳିବା ସମୟରେ ଏକ ‘ଲକ୍ଷଣ ରେଖା’(କୀଟ ଓ ପତଙ୍ଗ ମାରିବା ଲାଗି ଉଦ୍ଦିଷ୍ଟ ଚଖଡ଼ି) ପିଇବା ପାଣି ଗରାରେ ପକାଇ ଦେଇଥିଲେ। ଏହି ସମୟରେ ଓମ୍‌ ପ୍ରକାଶ ଘରେ ନ ଥିଲେ। ଏହି ଘଟଣାର କିଛି ସମୟ ପରେ ଯେତେବେଳେ କାନି ଓ ତାଙ୍କ ପିଲାମାନେ ଯେତେବେଳେ ସେହି ଗରାରୁ ପାଣି ନେଇ ପିଇଥିଲେ ହଠାତ୍‌ ସମସ୍ତଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ସାହି ପଡ଼ିଶା ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ସେଠାରେ ପ୍ରଥମେ କାନି ଦେବୀ ଏବଂ ପରେ ପରେ ଦୁଇ ପିଲା ରାକେଶ ଓ ଉର୍ମିଳାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଛି। ଖେଳ ଖେଳରେ ପିଲାମାନଙ୍କ ଅସାବଧାନତା ଓମ୍‌ ପ୍ରକାଶଙ୍କ ପୁରା ପରିବାରକୁ ଉଜାଡ଼ି ଦେଇଛି।

Share