ବିପଦ ସଙ୍କୁଳ ଅବସ୍ଥାରେ ପିଲା ପଢୁଛନ୍ତି ପାଠ

ରୁପ୍ରାରୋଡ,୧୪।୧୨(ସଞ୍ଜିବ ଦାସ ): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଟକର୍ଲା ଗ୍ରାମପଞ୍ଚାୟତ ଟକର୍ଲା ଗ୍ରାମର(କ) ଅଙ୍ଗନୱାଡ଼ି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଅଙ୍ଗନୱାଡ଼ି କେନ୍ଦ୍ରର କୋଠରୀଗୁଡିକ ବହୁ ପୁରୁଣା ହୋଇଥିବାରୁ ପ୍ରତିଦିନ ବିପଦ ସଙ୍କୁଳ ଅବସ୍ଥାରେ ଶିଶୁମାନେ ନିଜର ଦୈନନ୍ଦିନ ପାଠପଢା ଓ ଖେଳକୁଦ କରୁଛନ୍ତି।
ଏନେଇ ଗ୍ରାମର ମହିଳା ଗୋଷ୍ଠୀ ଓ ସମିତି ସଭ୍ୟା ବୁଇରାଣି ରାଉତ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଅଙ୍ଗନୱାଡ଼ି କେନ୍ଦ୍ରର ଛାତରୁ ଅଚାନକ ସିମେଣ୍ଟ ଖଣ୍ଡ ଖସିବା ଦ୍ୱାରା କୁନି କୁନି ଶିଶୁଙ୍କ ପାଇଁ ବିପଦ ସାଜୁଛି। ସେହିପରି ପ୍ରାୟ ଦୁଇ ମାସରୁ ଊଦ୍ଧର୍‌ବ ସମୟ ଧରି ନଳକୂଅରେ ଲାଗିଥିବା ମୋଟର ଖରାପ ହୋଇ ପଡ଼ି ରହିଛି। ଯାହା ଫଳରେ ଶିଶୁଙ୍କୁ ପିଇବା ପାଣି ମୁନ୍ଦାଏ ମିଳିପାରୁନାହିଁ । ଶିଶୁଙ୍କ ପାଇଁ ଶୌଚାଳୟ ନ ଥିବାବେଳେ କେନ୍ଦ୍ରରେ ସୁରକ୍ଷା ବାଡ଼ ନ ଥିବାରୁ କିଛି ଦୁର୍ବୃତ୍ତ ପ୍ରତିଦିନ ମଦ ପିଇ ପାଉଚର ଖୋଲମାନ ସେଣ୍ଟର ମଧ୍ୟକୁ ଫୋପାଡ଼ୁଥିବା କେନ୍ଦ୍ର ସହାୟିକା ଅଭିଯୋଗ ଆଣିଛନ୍ତି।
ଏଭଳି କେନ୍ଦ୍ରର ବିଭିନ୍ନ ଦୂରାବସ୍ଥାକୁ ନେଇ ଗ୍ରାମର ମହିଳା ଗୋଷ୍ଠୀ ହିତାଧିକାରୀ ଓ ସମିତି ସଭ୍ୟା ମିଳିତ ଭାବରେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି । ଏଣୁ ଏ ଦିଗରେ ନର୍ଲା ସିଡ଼ିପିଓ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନର୍ଲା ତୁରନ୍ତ ଦୃଷ୍ଟି ଦେଇ ଏହାର ଆଶୁ ସମାଧାନ ନିମନ୍ତେ ସାଧାରଣରେ ଦାବି କରାଯାଉଛି।

Share