ଅଙ୍ଗନଓ୍ବାଡି କେନ୍ଦ୍ରରେ ବଢୁଛି ପିଲାଙ୍କ ଉପସ୍ଥାନ

ସୋରଡ଼ା,୧୭ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ଆଦିବାସୀ ବହୁଳ ଗୋଛା ଅଞ୍ଚଳର ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ଏବେ ଶିଶୁମାନଙ୍କର ଉପସ୍ଥାନ ପ୍ରତ୍ୟହ ବଢୁଥିବା ଲକ୍ଷ୍ୟ କରାଯାଉଛି। ବିଦ୍ୟାଳୟ ପୂର୍ବ ଶିକ୍ଷା କାର୍ଯ୍ୟକ୍ରମକୁ ତ୍ୱରାନିତ କରିବାକୁ ଯାଇ ସେଠାକାର କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କୁ ନିଜେ ଖାଇବା, ହାତ ଧୋଇବା,ବନାନ ଚିହ୍ନିବା,ପରିସସର ବିଭିନ୍ନ ଦ୍ରବ୍ୟର ନାଁ ଜାଣିବା,ପରିବାର ସମ୍ପର୍କୀୟମାନଙ୍କ ନାଁ ଜାଣିବା, ଭାଷା ଉଚ୍ଚାରଣ କରିବା,ଶୃଙ୍ଖଳିତ ହେବା ଭଳି ତାଲିମ ପ୍ରଦାନ କରାଯାଉଥିବା ଦେଖାଯାଇଛି। ମୁଖ୍ୟତଃ ସେମାନଙ୍କୁ ପ୍ରତିଦିନ କେନ୍ଦ୍ରକୁ ଆସିବା ପାଇଁ ଆଗ୍ରହ ସୃଷ୍ଟି କରିବା ପାଇଁ ନାଚ,ଗୀତର ଆସର କରାଯାଉଛି। ଏପରିକି ପୋଷାକ,ପରିବେଶ ସହ ସ୍ବଚ୍ଛତା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଫଳରେ ଆଦିବାସୀ ପରିବାର ପିଲାମାନେ ନିଜ ନିଜ କେନ୍ଦ୍ରକୁ ସ୍ବତଃପ୍ରବୃତ୍ତ ଭାବେ ଆସୁଛନ୍ତି। ଅଭିଭାବକମାନଙ୍କୁ ମଧ୍ୟ କେନ୍ଦ୍ର ପରିଚାଳିକାମାନେ ଶିଶୁମାନଙ୍କୁ ବୟସ ଅନୁଯାୟୀ ବିଦ୍ୟାଳୟ ପଠାଇବାକୁ ବାଧ୍ୟ କରାଉଛନ୍ତି। ସରକାରଙ୍କ ଶିକ୍ଷାର୍ଥୀ ବିକାଶ ଯୋଜନାର ସମସ୍ତ ଲାଭ ଉଠାଇବାକୁ କୁହାଯାଉଛି। ଏହାଛଡ଼ା ଆଦିବାସୀ ପରିବାର ଶିଶୁଙ୍କ ସ୍ବାସ୍ଥ୍ୟ ଓ ଗର୍ଭବତୀ ମା’ମାନଙ୍କର ପାଇଁଥିବା ବିଭିନ୍ନ ମାର୍ଗଦର୍ଶିକା ଅନୁଯାୟୀ ପରାମର୍ଶ ନେବା ସହ ସ୍ବାସ୍ଥ୍ୟ ବିଭାଗର ନିୟମ ମାନନ୍ତୁ ବୋଲି କୁହାଯାଇଛି। ବାଲାପଙ୍କା କେନ୍ଦ୍ର ପରିଚାଳିକା କୁସୁମ ପଟ୍ଟନାୟକଙ୍କ ନାଚଗୀତ ମାଧ୍ୟମରେ ଶିକ୍ଷାଦାନ ସମସ୍ତଙ୍କୁ ଆକୃଷ୍ଟ କରୁଛି। ଜିଲା ପରିଷଦ ରାଜେଶ କୁମାର ସାହୁ ଓ ସରପଞ୍ଚ ତ୍ରିଲୋଚନ ସାହୁ କହିଛନ୍ତି, ଅଞ୍ଚଳରେ ଆଦିବାସୀ ପରିବାର ଏଣିକି ଶିକ୍ଷା ଗ୍ରହଣ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରୁଛନ୍ତି।

Share