ଅଧାପନ୍ତରିଆ ଶିଶୁ ପାର୍କ

ବ୍ରହ୍ମପୁର ଅଫିସ,୧୪ା୩: ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ଓ ସହରବାସୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ କେତେକ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି। ଏଥିମଧ୍ୟରୁ ଶିଶୁ ଉଦ୍ୟାନ ପ୍ରକଳ୍ପ ଅନ୍ୟତମ। ଶିଶୁ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ କର୍ମ ତପତ୍ରତା ଯୋଜନା(ମୁକ୍ତା)ରେ କାର୍ଯ୍ୟ ହେଉଛି। ଏଥି ନିମନ୍ତେ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ କାର୍ଯ୍ୟ ଭାର ଦିଆଯାଇଛି। ଏହି ଶିଶୁ ଉଦ୍ୟାନରେ ମୁକ୍ତାକାଶ ଜିମ୍‌ ମଧ୍ୟ ଉପଲବ୍ଧ ରହିଛି।
ସହରରେ ଥିବା ୫୮ ଉଦ୍ୟାନର ଉନ୍ନତୀକରଣ ପାଇଁ ୫ କୋଟି ୮୩ ଲକ୍ଷ, ୬୫ ମୁକ୍ତାକାଶ ଜିମ୍‌ ପାଇଁ ୪ କୋଟି ୨୧ ଲକ୍ଷ ଓ ୬୫ ଶିଶୁ ଉଦ୍ୟାନ ପାଇଁ ୨ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। କିନ୍ତୁ ଶିଶୁ ଉଦ୍ୟାନଗୁଡିକର କାର୍ଯ୍ୟ ଅଧାପନ୍ତରିଆ କାରଣରୁ ବର୍ତ୍ତମାନ ଏହା ଛୋଟ ପିଲାଙ୍କ ପାଇଁ ବିପଦ ପାଲଟିଛି। ବିଇଏମ୍‌ସି ୧୯ ନଂ. ୱାର୍ଡ ଅନ୍ତର୍ଗତ ଖଲାସି ସାହି ଛକରେ ଥିବା ଶିଶୁ ଉଦ୍ୟାନ ଏହାର ଉଦାହରଣ। ଏହି ପାର୍କ ନିମନ୍ତେ କାର୍ଯ୍ୟାଦେଶ ମିଳିବାର ୭ ମାସ ପୂର୍ବେ ନିର୍ମାଣ କାର୍ଯ୍ୟ ପାଇଁ ଶୁଭ ଦିଆଯାଇଥିଲା। କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏ ତାହା ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ। ଉଦ୍ୟାନ ଚତୁଃପାର୍ଶ୍ୱରେ ଲୁହା ପାଚେରି ସହ ଏହା ପରିସରରେ ଛୋଟ ପିଲାଙ୍କ ଖେଳିବା ନିମନ୍ତେ ଦୋଳି ସାଙ୍ଗକୁ ଅନ୍ୟାନ୍ୟ ୨ଟି ଖେଳନା ମଧ୍ୟ ରହିଛି। କିନ୍ତୁ ଉଦ୍ୟାନ ଭିତରେ ସିମେଣ୍ଟ୍‌ ଚଟାଣ କିମ୍ବା ପେଭର ବ୍ଲକ ପଡି ନାହିଁ। କେବଳ ବଡ ବଡ ପଥର ଓ ସିମେଣ୍ଟ୍‌ ନିର୍ମିତ ବଡ କୁଣ୍ଡ ପଡି ରହିଛି। ଫଳରେ ଏଠାକୁ ଖେଳିବାକୁ ଆସୁଥିବା ଛୋଟ ଶିଶୁମାନେ ଦୁର୍ଘଟଣାର ସମ୍ମୁଖୀନ ହେବା ସମ୍ଭାବନା ରହିଛି। ଏ ନେଇ ବିଇଏମ୍‌ସି କନିଷ୍ଠ ଯନ୍ତ୍ରୀ ଶ୍ରୁତିକା ପାତ୍ରଙ୍କୁ ପଚାରିବାରୁ ପାର୍କର ସାୈନ୍ଦର୍ଯ୍ୟକରଣ ନେଇ ନୂତନ ଯୋଜନା କରାଯାଉଛି। ୨ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି।

Share