Categories: ଫୁରସତ

ପିଲାଙ୍କ ସମର କ୍ୟାମ୍ପ

ବର୍ତ୍ତମାନ ଅଧିକାଂଶ ପିଲାଙ୍କଠାରେ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ହେଉ ଅବା କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ରହିଛି ବିଶେଷ ରୁଚି। ହେଲେ କେବେ ସ୍କୁଲ ପାଠ ପଢ଼ାର ଚାପ ହେଉ ଅବା ଏସବୁ ଦିଗରେ ଶିକ୍ଷା ଗ୍ରହଣ କରିବାର ସୁବିଧା ଅଭାବରୁ ନିଜ ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ କରିବାରୁ ବଞ୍ଚତ୍ତ ହୁଅନ୍ତି ଅନେକେ। ଏମିତିରେ ନିଜ ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ସହ ଲୋକଲୋଚନକୁ ଆଣିବା ଲାଗି ଅଭିଭାବକଙ୍କ ପାଇଁ ବେଶ୍‌ ସହାୟକ ହୋଇପାରିଛି ସମର କ୍ୟାମ୍ପ…
ସବୁ ଅଭିଭାବକ ଚାହାନ୍ତି ନିଜ ପିଲା ଭଲ ପଢ଼ିବା ସହ ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ହେଉ ଅବା କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ବି ଦକ୍ଷ ହେଉ। ସେଥିପାଇଁ କେତେଜଣ ଅଭିଭାବକ ପିଲାଙ୍କୁ ରୁଚି ଥିବା କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ତାଲିମ ମଧ୍ୟ ଯୋଗାଇଦେଇଥାନ୍ତି। ହେଲେ ପିଲାଙ୍କ ପଢ଼ାରେ ଅବହେଳା ହେବ ଭାବି ହେଉ ଅବା ନିକଟରେ ଶିଖାଇବା ଲାଗି କୌଣସି ସୁବିଧା ନ ଥିବାରୁ ଆଉ କେତେଜଣଙ୍କ ପିଲା ଏସବୁ ସୁଯୋଗରୁ ବଞ୍ଚତ୍ତ ହୋଇଥାନ୍ତି। ହେଲେ ବର୍ତ୍ତମାନ ଏସବୁ ସମସ୍ୟା ସମାଧାନର ସବୁଠୁ ବେଷ୍ଟ ଅପ୍ସନ ପାଲଟିଛି ସମର କ୍ୟାମ୍ପ। ଯେଉଁଠି ପିଲାମାନେ ଛୁଟି ସମୟରେ ବି ଏସବୁ ଶିଖି ନିଜ ପ୍ରତିଭାକୁ ପରିପ୍ରକାଶ କରିବାର ସୁଯୋଗ ପାଇପାରିବେ। ସେଠାରେ ସେମାନେ କେବଳ ନିଜ ସ୍କୁଲ ଛାତ୍ରୀଛାତ୍ରଙ୍କ ବ୍ୟତୀତ ଅନ୍ୟ ପିଲାଙ୍କ ସହ ବନ୍ଧୁତା ଓ ମଜାମସ୍ତି କରିବାର ସୁଯୋଗ ପାଇବେ। ଏହା ବ୍ୟତୀତ ଅଧିକ ପିଲାଙ୍କ ଗହଣରେ କ୍ୟାମ୍ପରେ ଥିବା ଟ୍ରେନରମାନଙ୍କ ଆଗରେ କହିବା ଦ୍ୱାରା ସେମାନଙ୍କ ମନରୁ ଧୀରେ ଧୀରେ ପବ୍ଲିକ ସ୍ପିକିଂ ଭୟ ବି ଦୂର ହୋଇପାରିବ।
ପିଲାଙ୍କୁ ସମର କ୍ୟାମ୍ପ ପଠାଉଥିଲେ କେତେକ ଦିଗ ପ୍ରତି ଧ୍ୟାନ ରଖିବା ଆବଶ୍ୟକ…
ସମର କ୍ୟାମ୍ପରେ ବିଭିନ୍ନ କ୍ଷେତ୍ରରେ ତାଲିମ ଦିଆଯାଉଥିବା ବେଳେ କେତେକ କ୍ୟାମ୍ପ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ତାଲିମ ଦେବା ଲାଗି ଆୟୋଜନ କରାଯାଇଥାଏ। ତେଣୁ ଆପଣଙ୍କ ପିଲାର ରୁଚି କେଉଁଥିରେ ଅଛି ଜାଣିବା ପରେ ଉକ୍ତ କ୍ୟାମ୍ପକୁ ପଠାନ୍ତୁ।
ଏକାଧିକ କ୍ୟାମ୍ପ ଆୟୋଜନ ହୋଇଥିଲେ ଏହାର ଦୂରତା ଅନୁଯାୟୀ ଆପଣଙ୍କୁ ପିଲାଙ୍କ ନେବା ଆଣିବାରେ ସୁବିଧା ହେବା ଭଳି କ୍ୟାମ୍ପ ବାଛନ୍ତୁ।
ଆୟୋଜନ ହୋଇଆସୁଥିବା କ୍ୟାମ୍ପରେ ଯଦି କେହି ପରିଚିତଙ୍କ ପିଲା ପୂର୍ବରୁ ଯାଇଥିବେ ତେବେ ତାଙ୍କଠାରୁ ତଥ୍ୟ ଜାଣିଲେ ପିଲାଙ୍କ ପାଇଁ ଅଧିକ ସୁବିଧା ହୋଇପାରିବ।
କ୍ୟାମ୍ପରେ ପିଲାଙ୍କ ରହିବାର ବ୍ୟବସ୍ଥା ଥାଏ। ଯଦି ସେଭଳି କ୍ୟାମ୍ପକୁ ପିଲାଙ୍କୁ ଛାଡୁଥାନ୍ତି ତେବେ ସେଠାରେ ରହିବା, ଖାଇବା ଆଦି ବିଷୟରେ ଭଲ ଭାବେ ବୁଝିନିଅନ୍ତୁ। ପିଲାଙ୍କ ବ୍ୟାଗ୍‌ରେ ଆବଶ୍ୟକ ପରିମାଣର ଶୁଖିଲା ଖାଦ୍ୟ ଏବଂ ଏକ୍ସଟ୍ରା ପୋଷାକ ଦିଅନ୍ତୁ। ଯଦି ପିଲା କୌଣସି ଔଷଧ ଖାଉଥାଏ ତେବେ ଏହାକୁ ଦେବା ସହ କ୍ୟାମ୍ପ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏନେଇ ଅବଗତ କରାଇବାକୁ ଭୁଲନ୍ତୁ ନାହିଁ।
କେଉଁସବୁ ସାମଗ୍ରୀ ଆବଶ୍ୟକ ଯେପରି ସୁଇମିଂ ସୁଟ୍‌, ପେଣ୍ଟିଂ ପାଇଁ ଡ୍ରଇଁ ବୁକ୍‌, କଲର ଆଦି ଭଲ ଭାବେ ବୁଝି ପିଲା ସହ ପଠାନ୍ତୁ ଯେପରି ତା’ର ଶିଖିବାରେ କୌଣସି ଅସୁବିଧା ନ ହୁଏ।

Share