Categories: ଜାତୀୟ

ପିଲାଙ୍କ ମୋବାଇଲ ନିଶା: ଚିନ୍ତାରେ ୮୫% ଅଭିଭାବକ

ନୂଆଦିଲ୍ଲୀ,୧୯।୪: ଆଧୁନିକ ଯୁଗରେ ମୋବାଇଲ୍‌ର ଉପଯୋଗିତା ବଢ଼ିଚାଲିଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି କ୍ୟାବ୍‌ ବୁକ୍‌ କରି ନିଜ ଗନ୍ତବ୍ୟସ୍ଥଳକୁ ଯିବା ପର୍ଯ୍ୟନ୍ତ, ପ୍ରାୟ ସବୁ କାମ ପାଇଁ ଏବେ ଲୋକମାନେ ମୋବାଇଲ ଉପରେ ନିର୍ଭରଶୀଳ। ବହୁ ଜଟିଳ କାମକୁ ଫୋନ୍‌ ଶୀଘ୍ର ଓ ସହଜ କରିଦେଉଛି ସତ, କିନ୍ତୁ ଏହାର ନକାରାତ୍ମକ ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡ଼ୁଛି। ଛୁଟିରେ ପିଲାମାନେ ସାଙ୍ଗସାଥୀଙ୍କ ସହ ଖେଳକୁଦ କରିବା ପରିବର୍ତ୍ତେ ମୋବାଇଲ୍‌ରେ ଅଧିକ ସମୟ ଅତିବାହିତ କରୁଛନ୍ତି। ତେବେ ଏହାକୁ ନେଇ ଭାରତର ୮୫% ଅଭିଭାବକ ଏବେ ଚିନ୍ତାରେ ପଡ଼ିଯାଇଥିବା କାଣ୍ଟାର ମିଡିଆ କମ୍ପାନୀ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି।
ଖରାଛୁଟିରେ ପିଲାମାନେ ସାଙ୍ଗମାନଙ୍କ ସହ ଅଧିକ ସମୟ ଖେଳକୁଦରେ ବିତାଇବା ଏବଂ ନୂଆ ଜାଗା ବୁଲି ଦେଖିବା ପାଇଁ ଯଥେଷ୍ଟ ସମୟ ପାଇଥାନ୍ତି। କିନ୍ତୁ ସେମାନେ ଏହିସବୁ କାମ କରିବା ବଦଳରେ ଅଧିକ ସମୟ ଫୋନ୍‌ ଦେଖାରେ କଟାଉଛନ୍ତି। ମୋବାଇଲ୍‌ର ଅଧିକ ବ୍ୟବହାର ଯୋଗୁ ପିଲାମାନେ ମାନ୍ଦା ହୋଇଯାଉଥିବା ପାଖାପାଖି ୯୦ ପ୍ରତିଶତ ଅଭିଭାବକଙ୍କ ଅଭିଯୋଗ। ଗତ ମାର୍ଚ୍ଚରେ ଆମାଜନ୍‌ ନେତୃତ୍ୱରେ କାଣ୍ଟାର ମିଡିଆ କମ୍ପାନୀ ଏହି ସର୍ଭେ କରିଥିଲା। ଅନେକଙ୍କ ମତରେ ପିଲାମାନେ ୨ ଘଣ୍ଟାରୁ କମ୍‌ ସମୟ ଫୋନ୍‌ ଦେଖିବା ଉଚିତ। ସେହିପରି ୬୯ ପ୍ରତିଶତ ଅଭିଭାବକ କୁହନ୍ତି ଯେ, ଛୁଟି ସମୟରେ ସେମାନଙ୍କ ପିଲା ମୋବାଇଲ୍‌ ଦେଖିବାକୁ ପାଖାପାଖି ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତାଇଛନ୍ତି।
୧୦ ମେଟ୍ରୋ ଓ ଅଣ-ମେଟ୍ରୋ ସହରର ୭୫୦ ଅଭିଭାବକଙ୍କୁ ନେଇ ଉକ୍ତ ସର୍ଭେ କରାଯାଇଛି। ତେବେ ପିଲାମାନଙ୍କୁ ଘଣ୍ଟା ଘଣ୍ଟା ମୋବାଇଲ୍‌ ଦେଖିବା କାର୍ଯ୍ୟରୁ ନିବୃତ୍ତ କରିବା ପାଇଁ ୯୬ % ମା’ବାପା ଚେଷ୍ଟା ଚଳାଇଛନ୍ତି। ଅଧିକ ସମୟ ମୋବାଇଲ୍‌ ଦେଖାରେ ନ ଦେଇ ସେମାନଙ୍କ ପିଲା ଇଂଲିଶ କହିବା (୫୦%), ସୋସିଆଲ ମ୍ୟାନର୍‌ ଶିଖିବା (୪୫%), ନାଚ, ସଙ୍ଗୀତ ଶିଖିବା, ବାଦ୍ୟଯନ୍ତ୍ର ବଜାଇବା (୩୬%), ଆର୍ଟ-କ୍ରାଫ୍ଟ (୩୨%) ଖେଳକୁଦ କରିବା(୩୨%) ଅଭିଭାବକ ଚାହୁଁଥିବା କଣ୍ଟାରର କାର୍ଯ୍ୟନିର୍ବାହୀ ପରିଚାଳନା ନିର୍ଦ୍ଦେଶକ ଦୀପେନ୍ଦର ରଣା କହିଛନ୍ତି।

Share