ଦୀର୍ଘ ବର୍ଷର ଦାବି ପରେ ମିଳିଲା ରାଜସ୍ବ ଗ୍ରାମର ମାନ୍ୟତା

କୋକସରା,୨୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଫୁପଗାଁ ପଞ୍ଚାୟତ ଚିଲଡଙ୍ଗରି ଗ୍ରାମକୁ ଦୀର୍ଘବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ଗ୍ରାମବାସୀ ଦୀର୍ଘ ବର୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ଦାବି କରି ଆସୁଥିଲେ। ତେବେ ରାଜ୍ୟ ସରକାର ଚିଲଡଙ୍ଗରି ଗ୍ରାମକୁ ନୂତନ ରାଜସ୍ବ ଗ୍ରାମ ନିମନ୍ତେ ବିବେଚିତ କରିଛନ୍ତି। ଏହା ଜଣାବା ପରେ ଗ୍ରାମବାସୀ ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆ ଏ ନେଇ ଚିଲଡଙ୍ଗରି ଗ୍ରାମ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସରପଞ୍ଚ ଗଜାନନ ପୂଝାରୀ, ପୂର୍ବତନ ସରପଞ୍ଚ କୀର୍ତ୍ତନ ଶବର, ଗୋବିନ୍ଦ ନାଏକ, ସାମାଜିକ କର୍ମୀ ପ୍ରଣବ କୁମାର ବେହେରା, ରାଜସ୍ବ ନିରୀକ୍ଷକ ରମଣୀ ରଞ୍ଜନ ପ୍ରଧାନୀଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ କୃତଜ୍ଞତା ଦେବା ସହ ରାଜସ୍ବ ଗ୍ରାମର ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବାକୁ ତହସିଲଦାରଙ୍କୁ ଦାବି କରିଥିଲେ।

Share