ଲଙ୍କା କେଜି ୭୦୦, ଟମାଟୋ ୨୦୦

କଲମ୍ବୋ,୧୨ା୧: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଛି। ଶ୍ରୀଲଙ୍କାରେ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି। ଏଠାରେ ଖାଦ୍ୟ ଏବଂ ପାନୀୟ ଏକ ମାସରେ ୧୫ ପ୍ରତିଶତ ମହଙ୍ଗା ହୋଇଛି। ୧୦୦ ଗ୍ରାମ ଲଙ୍କାର ମୂଲ୍ୟ ୭୧ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ବର୍ତ୍ତମାନ ୧ କିଲୋଗ୍ରାମ ଲଙ୍କାର ଦାମ୍‌ ୭୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ମାସକ ମଧ୍ୟରେ ଲଙ୍କାର ମୂଲ୍ୟ ୨୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ସେହିପରି ଟମାଟୋ କେଜି ୨୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି।

ପନିପରିବା ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ଜୀବନରେ ବହୁତ ପ୍ରଭାବ ପକାଇଛ। ପ୍ରାୟ ୨୨ ନିୟୁତ ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ବର୍ତ୍ତମାନ ଇତିହାସରେ ସବୁଠାରୁ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ନଭେମ୍ବର ଶେଷ ସୁଦ୍ଧା ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ୧.୬ ବିଲିୟନ ଡଲାରକୁ ଖସି ଆସିଛି। ଯାହା ଆମଦାନୀ ପାଇଁ ମାତ୍ର କିଛି ସପ୍ତାହ ମୂଲ୍ୟ ଦେବାକୁ ପଡ଼ିବ ।

ଯେଉଁଥିପାଇଁ ସରକାର ଅନେକ ଜରୁରୀ ଜିନିଷ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ବାଧ୍ୟ ହୋଇଥିଲେ। ଯେଉଁଥିପାଇଁ ଶ୍ରୀଲଙ୍କାରେ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ବଢ଼ି ଚାଲିଥିଲା। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଚାଲିଲା।

ଶ୍ରୀଲଙ୍କାରେ ଗତ ଚାରି ମାସ ମଧ୍ୟରେ ଏକ ଷ୍ଟାଣ୍ଡାର୍ଡ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୮୫ ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି। ଶ୍ରୀଲଙ୍କାରେ ଆମଦାନୀ ହୋଇ ନ ଥିବାରୁ ଦୁଗ୍ଧ ମୂଲ୍ୟ ମଧ୍ୟ ବହୁତ ବୃଦ୍ଧି ଘଟିଛି।

ଏକ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ନିଜ ଦେଶରେ ବହୁ ପରିମାଣର ଖାଦ୍ୟ ଶସ୍ୟ ଆମଦାନୀ ଉପରେ ନିର୍ଭର କରେ, କିନ୍ତୁ ବର୍ତ୍ତମାନ ଶ୍ରୀଲଙ୍କା ବୈଦେଶିକ ମୁଦ୍ରା ଅଭାବର ସମ୍ମୁଖୀନ ହେଉଛି। ଯାହା ଏହି ଦେଶର ଖାଦ୍ୟ ଆବଶ୍ୟକତା ଉପରେ ସିଧାସଳଖ ପ୍ରଭାବ ପକାଉଛି।

Share