୭ ସେକେଣ୍ଡ୍‌ରେ ଭାଙ୍ଗିଲା ବିଶାଳକାୟ ଚିମିନି

ଢେଙ୍କାନାଳ ଅଫିସ,୧୯ା୧୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା କୁରୁଣ୍ଟି ଗ୍ରାମ ନିକଟରେ ପରିଚାଳନାଗତ ତ୍ରୁଟି ପାଇଁ ପ୍ରତିଷ୍ଠିତ ଲାନ୍‌କୋ କମ୍ପାନୀ ବନ୍ଦ ହୋଇଯାଇଥିଲା। ଏହାର ସ୍ରାପଗୁଡିକ ମଧ୍ୟ ବିକ୍ରି ହୋଇଯାଇଥିଲା। କେବଳ କମ୍ପାନୀ ପରିସରରେ ବ୍ୟବହାର ନ ହୋଇ ରହିଥିଲା ୨୫୬ ମିଟର ଉଚ୍ଚତାର ଏକ ବିଶାଳ ଚିମିନି। ଏହି ଚିମିନି ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା। ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ଚିମିନିଟିକୁ ବିଶେଷଜ୍ଞମାନେ ୨ଥର ଡିନାମାଇଟ୍‌ ଲଗାଇ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ ହେଁ ଏଥିରେ ବିଫଳ ହେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ଶେଷରେ ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସୋମବାର ପ୍ରାୟ ୭ ସେକେଣ୍ଡରେ ଡିନାମାଇଟ ଲଗାଇ ବିସ୍ଫୋରଣ କରିବାରୁ ଚିମିନିଟି ଭାଙ୍ଗି ମାଟିରେ ମିଶି ଯାଇଥିଲା। ଏକ୍‌ଜିକ୍ୟୁଡ୍‌ ଏକ୍ସକ୍ଲ୍ୟୁସିଭ୍‌ ପ୍ରାଇମେଟ ଲିମିଟେଡ୍‌ ରାଜସ୍ଥାନର ଏକ ସଂସ୍ଥା ପକ୍ଷରୁ ଇଂ. ଆନନ୍ଦ ଶର୍ମାଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ଦଳ ଚିମିନିଟିକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ। ୭୫୦ କେଜି ଡିନାମାଇଟ ଏଥିପାଇଁ ବ୍ୟବହାର ହୋଇଥିଲା। ୨୦୧୦ରେ ଲାନ୍‌କୋ କମ୍ପାନୀ ଏହାକୁ ତିଆରି କରିଥିଲା। ଦେଶ ଓ ରାଜ୍ୟର ବିଭିନ୍ନ କଳ କାରଖାନାରେ ଥିବା ଚିମିନିଗୁଡ଼ିକ ମଧ୍ୟରେ ଏହା ଏକ ମଧ୍ୟ ବିଶାଳ ଚିମିନି ଥିଲା ବୋଲି ଏହାକୁ ଭାଙ୍ଗିବା ପାଇଁ ଆସିଥିବା ବିଶେଷଜ୍ଞମାନେ କୁହନ୍ତି।

Share