
ବାରଙ୍ଗ, ୩୧ା୧(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ସିମ୍ପାଞ୍ଜି ‘ରାକ୍ଷୀ’ ପରେ ଏବେ ସିମ୍ପାଞ୍ଜି ‘ଦୁର୍ଗା’ ପ୍ରଥମ ଥର ପାଇଁ ମା’ ହୋଇଛି। ଉଦ୍ୟାନର ୬୦(କ) ନମ୍ବର ଖୁଆଡ଼ରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ‘ଦୁର୍ଗା’ ଗୁରୁବାର ବଡ଼ିଭୋର ସମୟରେ ଏକ ଶାବକ ଜନ୍ମ ଦେଇଛି। ଜନ୍ମ ପରେ ମା’ ଓ ଛୁଆକୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଇଥିବାବେଳେ ଶାବକର ଲିଙ୍ଗ ଚିହ୍ନଟ ହୋଇ ଅଣ୍ଡିରା ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ‘ଦୁର୍ଗା’ ପ୍ରାଣୀ ଉଦ୍ୟାନରେ ଜନ୍ମ ହୋଇଥିବା ବେଳେ ତାକୁ ଏବେ ୭ ବର୍ଷ ୪ ମାସ ଚାଲିଛି। ୧୯୯୪ ମସିହା ମେ’ ୧୬ରେ ସିଙ୍ଗାପୁର ଚିଡ଼ିଆଖାନାରୁ ଆସିଥିବା ପୁରୁଷ ସିମ୍ପାଞ୍ଜି ‘ଜୁଲୁ’ ସହ ‘ଦୁର୍ଗା’ର ୨୦୨୪ ମେ’ ୨୬ରୁ ୨୯ରେ ପ୍ରଥମେ ମିଳନ କରାଯାଇଥିଲା। ପରେ ପୁଣି ଜୁନ୍ ୨ରୁ ୬ରେ ମିଳନ କରାଯାଇଥିଲା। ନନ୍ଦନକାନନ ଡାକ୍ତର ‘ଦୁର୍ଗା’ର ରକ୍ତ ପରୀକ୍ଷା କରିବାରୁ ସେ ମା’ ହେବାକୁ ଯାଉଥିବା ଜଣାପଡ଼ିଥିଲା। ସେବେଠାରୁ ‘ଦୁର୍ଗା’ ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ରଖିଥିଲା। ଦୀର୍ଘ ୨୩୮ ଦିନର ଗର୍ଭଧାରଣ ପରେ ଗୁରୁବାର ସେ ଏକ ଶାବକ ଜନ୍ମ ଦେଇଛି। ଏହି ଶାବକକୁ ମିଶାଇ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସେଥିରେ ୩ଟି ଅଣ୍ଡିରା, ୫ଟି ମାଈ ରହିଛନ୍ତି।