ଆମେରିକା ଉପରେ ରାଗିକି ନିଆଁବାଣ ହେଲା ଚାଇନା

ଓ୍ବାଶିଟନ୍‌,୨୦।୬: ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଉନ୍ନତି ପରିବର୍ତ୍ତେ ଖରାପ ହେବାରେ ଲାଗିଛି। ଏବେ ଲାଗୁଛି ଯେ ୱାଶିଂଟନ ପୁଣି ଥରେ ଡ୍ରାଗନର ଘା’କୁ ଆଘାତ କରିଛି। ଆମେରିକାର ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ବୁଧବାର ଭାରତର ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ତିବ୍ବତର ନେତା ଦଲାଇ ଲାମାଙ୍କୁ ଭେଟିଥିଲେ। ବୈଠକ ପୂର୍ବରୁ ମଧ୍ୟ ବେଜିଂ ଆମେରିକାକୁ ଦଲାଇ ଲାମା ଗୋଷ୍ଠୀର କାହାକୁ ନ ଭେଟିବାକୁ ଚେତାବନୀ ଦେଇଥିଲା। ବର୍ତ୍ତମାନ ଏହି ବୈଠକ ପରେ ଚାଇନା ରାଗିଛି।
ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମାଙ୍କୁ ଭେଟିବା ପାଇଁ ଦ୍ୱିପାକ୍ଷିକ ଆମେରିକାର ସାଂସଦମାନଙ୍କର ଏକ ୭ ସଦସ୍ୟ ବିଶିଷ୍ଟ ଦଳ ଭାରତରେ ପହଞ୍ଚିଥିଲେ । ଆମେରିକାର ହାଉସ ବୈଦେଶିକ ବ୍ୟାପାର କମିଟିର ଅଧ୍ୟକ୍ଷ ମାଇକେଲ ମ୍ୟାକକାଲଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ ଏକ ସ୍ବତନ୍ତ୍ର ବିମାନ ଯୋଗେ ଧର୍ମଶାଲାରେ ପହଞ୍ଚିଥିଲେ। ମାଇକେଲ ଏବଂ ଆମେରିକାର ଲୋକ ସଭାର ପୂର୍ବତନ ବାଚସ୍ପତି ନାନସୀ ପେଲୋସି ନିର୍ବାସିତ ତିବ୍ଦତୀୟ ସଂସଦକୁ ସମ୍ବୋଧିତ କରି ତିବ୍ଦତର ସ୍ବାଧୀନତାକୁ ସମର୍ଥନ କରିଥିଲେ। ଏହାପରେ ଆମେରିକୀୟ ଟିମ୍‌ ତିବ୍ଦତୀୟ ଧାର୍ମିକ ନେତା ଦଲାଇ ଲାମାଙ୍କୁ ଭେଟିଥିଲେ ଏବଂ ଏହି ସମୟରେ ସେମାନେ ଚାଇନା ବିରୋଧରେ କଡ଼ା ଭାଷଣ ଦେଇଥିଲେ।
ଆମେରିକା ଦୀର୍ଘ ଦିନ ହେବ ତିବ୍ଦତୀୟ ଲୋକଙ୍କ ଧର୍ମ ଏବଂ ସଂସ୍କୃତିର ଅଧିକାରକୁ ସମର୍ଥନ କରିଆସୁଛି। ଆମେରିକା ନିକଟରେ ଏକ ବିଲ ପାସ କରିଛି ଯାହା ତିବ୍ଦତ ଉପରେ ଚାଇନାର ଦାବିକୁ ଚ୍ୟାଲେଞ୍ଜ କରୁଛି। ଏହା ସହିତ ଚାଇନା ଏବଂ ଦଲାଇ ଲାମାଙ୍କ ମଧ୍ୟରେ କଥାବାର୍ତ୍ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଏହି ଗସ୍ତ ଏବଂ ବିଲ ଉପରେ ଚାଇନା ରାଗିଛି। ଏହି ଗସ୍ତ ପୂର୍ବରୁ ଚାଇନା କହିଥିଲା ଯେ, ଦଲାଇ ଲାମା ଜଣେ ବିଚ୍ଛିନ୍ନତାବାଦୀ ଏବଂ ଆମେରିକା ତାଙ୍କ ସହ କୌଣସି ସମ୍ପର୍କ ରଖିବା ଉଚିତ୍‌ ନୁହେଁ।

Share