Categories: ଜାତୀୟ

ଦି କ୍ଲେକ୍ସନ୍‌ରେ ଚାଇନା ସୈନ୍ୟ-ଭାରତୀୟ ଯବାନଙ୍କ ମୁହାଁମୁହିଁ ରିପୋର୍ଟ…

ଲଦାଖ, ୩।୨ : ଅଷ୍ଟ୍ରେଲିଆ ଖବରକାଗଜ ଦି କ୍ଲେକ୍ସନ୍‌ରେ ଜୁନ ୨୦୨୦ରେ, ପୂର୍ବ ଲଦାଖର ଗଲୱାନ ଘାଟିରେ ଚାଇନା ସୈନ୍ୟ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ଏକ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାତ୍ମକ ଘଟଣାର ରିପୋର୍ଟ ପ୍ରାୟ ଦେଢ଼ବର୍ଷ ପରେ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ ଗଲୱାନ ଘାଟିରେ ହୋଇଥିବା ହିଂସାକାଣ୍ଡରେ ଚାଇନା ସୈନ୍ୟବାହିନୀର ବ୍ୟାପକ କ୍ଷତି ହୋଇଛି।

ଆଣ୍ଟୋନି କ୍ଲାନଙ୍କ ସ୍ବତନ୍ତ୍ର ରିପୋର୍ଟରେ ଦର୍ଶାଯାଇଛି ଯେ ବରଫ ନଦୀ ପାର ହେବାବେଳେ ୩୮ ଜଣ ଚାଇନା ସୈନ୍ୟ ଭାସି ଯାଇଥିଲେ। ସେମାନଙ୍କର ମୃତ୍ୟୁ ଘଟିଥିଲା। ତେବେ ଚାଇନା ମିଛ କଥା କହିଥିଲା ଯେ, ଏଥିରେ ମାତ୍ର ୪ ଜଣ ପିଏଲ୍‌ଏ ସୈନ୍ୟ ବରଫ ନଦୀରେ ଭାସି ଯାଇଛନ୍ତି।

ସୋସିଆଲ ମିଡିଆ ଅନୁସନ୍ଧାନକାରୀମାନେ ଗଲୱାନ ଡିକୋଡେଡ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଜୁନ ୧୫-୧୬ ମଧ୍ୟରେ ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ ଦ୍ରୁତ ପ୍ରବାହିତ ବରଫ ନଦୀରେ ଶୂନ୍ୟ ତାପମାତ୍ରାରେ ଖସି ପଡ଼ିଥିବା ପିଏଲ୍‌ଏ ସୈନ୍ୟ ପହଁରିବାକୁ ପ୍ରୟାସ କରିଥିଲେ। ତେବେ ପ୍ରବଳ ଥଣ୍ଡା ଏବଂ ଖରସ୍ରୋତା ପାହାଡ଼ିଆ ନଦୀରେ ସେମାନେ ଭାସି ଯାଇଥିଲେ। ରିପୋର୍ଟ ପ୍ରକାଶ ପାଇବା ଦ୍ୱାରା ଚାଇନାର ମିଛ କଥାର ପର୍ଦ୍ଦାଫାଶ୍‌ ହୋଇଛି।

ପିଏଲଏ ମୃତକଙ୍କ ମଧ୍ୟରେ ୱାଙ୍ଗ ନାମକ ଜଣେ ସୈନିକ ଥିଲେ। ଚାଇନା ଚାଲାକି କରି କେବଳ ୱାଙ୍ଗଙ୍କ ମୃତ୍ୟୁକୁ ଘୋଷଣା କରିଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ଅସ୍ଥାୟୀ ପୋଲ ନିର୍ମାଣକୁ ନେଇ ଜୁନ ୧୫ରେ ଦୁଇପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା।

ଭାରତୀୟ ଯବାନମାନେ ମେ’ ୨୦୨୦ରେ ଗଲୱାନ ନଦୀରେ ଏକ ପୋଲ ନିର୍ମାଣ କରିଥିଲେ। ଅନ୍ୟପକ୍ଷରେ, ପିଏଲ୍‌ଏ ଏପ୍ରିଲ ଠାରୁ ପାରସ୍ପରିକ ସ୍ଥିରିକୃତ ହୋଇଥିବା ବଫର୍‌ ଜୋନ୍‌ରେ ଭିତ୍ତିଭୂମି ନିର୍ମାଣ ଜାରି ରଖିଥିଲା। ଜୁନ୬ ରେ, ପାଖାପାଖି ୮୦ ଜଣ ପିଏଲ୍‌ଏ ସୈନ୍ୟ ଭାରତୀୟ ଯବାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ପୋଲ ଭାଙ୍ଗିବାକୁ ଆସିଥିଲେ। ଏହାର ସୁରକ୍ଷା ପାଇଁ ପ୍ରାୟ ୧୦୦ ଜଣ ଭାରତୀୟ ଯବାନ ଫରଓ୍ବାର୍ଡ ପୋଷ୍ଟ୍‌କୁ ଆସିଥିଲେ। ଫଳରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ପ୍ରକାଶ ପାଇବା ପରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କର ଚିନ୍ତା ବଢ଼ିବା ସହିତ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

 

Share