Categories: ଜାତୀୟ

ଅକ୍ସାଇ ଚୀନରେ ଚାଇନା ବଙ୍କର

ନୂଆଦିଲ୍ଲୀ,୩୧ା୮: ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଅକ୍ସାଇ ଚୀନକୁ ଆକାଶମାର୍ଗ ଆକ୍ରମଣରୁ ରକ୍ଷା କରିବା ପାଇଁ ସେଠାରେ ବଙ୍କର ଓ ଭୂତଳ ଭିତ୍ତିଭୂମି ନିର୍ମାଣ କରିଚାଲିଛି ଚାଇନାର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ)। ଅକ୍ସାଇ ଚୀନର ୧୫ ବର୍ଗ କି.ମି. ବିସ୍ତୃତ ଅଞ୍ଚଳର ୬ଟି ସ୍ଥାନରେ ଏହି ଭୂତଳ ବଙ୍କରଗୁଡ଼ିକୁ ନିର୍ମାଣ କରାଯାଇଛି। ୨୦୨୧ ଡିସେମ୍ବର ୬ ଏବଂ ୨୦୨୩ ଅଗଷ୍ଟ ୧୮ରେ ନିଆଯାଇଥିବା ଉପଗ୍ରହ ଚିତ୍ରରୁ ଏହି ବିଷୟ ସ୍ପଷ୍ଟ ହୋଇଥିବା କେତେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ମେ’ରେ ମିଳିଥିବା ଉପଗ୍ରହ ଚିତ୍ରକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ଅକ୍ସାଇ ଚୀନରେ ସାମରିକ ଅଭିଯାନ ପାଇଁ ଚାଇନା କେତେକ ନୂଆ ରନ୍‌ଓ୍ବେ, ଜେଟ୍‌ ପ୍ରୋଟେକ୍ସନ ଶେଲ୍ଟର ଓ ନୂଆ ବିଲ୍ଡିଂ ନିର୍ମାଣ କରିଛି। ଏଲ୍‌ଏସିରେ ନିଜ ବାୟୁସେନା ଘାଟିର ବିସ୍ତାର ଏବଂ ଏହା ଜରିଆରେ ବିସ୍ତୃତ ଅପରେଶନ ଚଳାଇବା ହେଉଛି ଉକ୍ତ ନିର୍ମାଣର ଲକ୍ଷ୍ୟ। ଏପରି କି କେତେକ ଅଞ୍ଚଳରେ ଭାରତକୁ ମିଳୁଥିବା ସୁବିଧାକୁ ବନ୍ଦ କରିବା ପାଇଁ ଚାଇନା ଯଥାସାଧ୍ୟ ଉଦ୍ୟମ କରୁଛି।

ସାଟେଲାଇଟ୍‌ ଇମେଜରୁ ଏବେ ଜଣାପଡ଼ିଛି, ପିଏଲ୍‌ଏ ସୈନ୍ୟମାନେ ଭୂତଳ ବଙ୍କରଗୁଡ଼ିକୁ ବ୍ୟବହାର କରୁଛନ୍ତି। ବଙ୍କର ଉପରେ ଆକାଶମାର୍ଗରୁ ବୋମାମାଡ଼ ହେଲେ ଯେପରି ସୁରକ୍ଷିତ ଭାବେ ବର୍ତ୍ତିଯିବେ, ସେଥିଲାଗି ସ୍ବତନ୍ତ୍ର ‘ପ୍ରବେଶ’ ଓ ‘ପ୍ରସ୍ଥାନ’ ପଥର ବ୍ୟବସ୍ଥା କରାଯାଇଛି। କେତେକ ପାର୍ବତ୍ୟାଞ୍ଚଳରେ ନୂଆ ସୁଡ଼ଙ୍ଗ ମଧ୍ୟ ନିର୍ମାଣ କରାଯାଇଛି। ଏହା ଉପରେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଚାଇନା ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନକୁ ନିଜ ଭୂଖଣ୍ଡର ଏକ ଅଂଶ ଭାବେ ଏହାର ନୂଆ ଷ୍ଟାଣ୍ଡାର୍ଡ ମ୍ୟାପ୍‌ରେ ଦର୍ଶାଇବା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି।

Share