Categories: ଜାତୀୟ

ଭାରତର କୂଟନୀତି ଆଗରେ ମୁଣ୍ଡ ନୋଇଲା ଚାଇନା: ୫ ବନ୍ଧକ ଯୁବକଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ, ୧୨।୯: ଭାରତର କୂଟନୀତି ଆଗରେ ଶେଷରେ ଚାଇନା ମୁଣ୍ଡ ନୋଇଛି। ସେପ୍ଟେମ୍ବର ୪ରେ ଅରୁଣାଚଳ ପ୍ରଦେଶର ୫ ଯୁବକଙ୍କୁ ଚାଇନା ସୈନ୍ୟ ଉଠାଇନେଇଥିଲେ। ଶେଷରେ ୮ ଦିନ ପରେ ଯୁବକମାନେ ଘରକୁ ଫେରିଛନ୍ତି। ଶନିବାର ଚାଇନା ସୈନ୍ୟ ସେମାନଙ୍କୁ କିବିତୁ ସୀମା ନିକଟରେ ଥିବା ଓ୍ବାଛାଠାରେ ଭାରତୀୟ ଯବାନଙ୍କୁ ହସ୍ତାନ୍ତର କରିଛନ୍ତି। ଏସମ୍ପର୍କରେ କେନ୍ଦ୍ରୀୟ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। କରୋନା ମାର୍ଗଦର୍ଶିକା ଅନୁସାରେ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଯୁବକମାନଙ୍କୁ ଚାଇନା ସୈନ୍ୟ ଅପହରଣ କରି ନେଇଥିବା ସମ୍ପର୍କରେ କଂଗ୍ରେସ ବିଧାୟକ ନନୋଙ୍ଗ୍‌ ଏରିଙ୍ଗ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ରାଜ୍ୟର ସୀମାବର୍ତ୍ତୀ ଉପର ସୁବନସିରି ଜିଲାରୁ ଯୁବକମାନଙ୍କୁ ଉଠାଇ ନିଆଯାଇଥିଲା। ତନୁ ବାକାର, ପ୍ରଶାତ ରିଙ୍ଗ୍‌ଲିଙ୍ଗ୍‌, ନଗାରୁ ଦିରି, ଡୋଙ୍ଗତୁ ଇବିୟା ଏବଂ ତୋଚ୍‌ ଇଙ୍ଗକାମ୍‌ ଆଦି ଯୁବକଙ୍କୁ ମାଛ ଧରୁଥିବାବେଳେ ଅପହରଣ କରାଯାଇଥିଲା। ଚାଇନା ସୀମାରେ ଯୁବକମାନେ ପ୍ରବେଶ କରିଥିବାରୁ ଏଭଳି କରାଯାଇଥିବା ଚାଇନା ସୈନ୍ୟ କହିଥିଲେ। ଚାଇନା ଗଣମାଧ୍ୟମ ସଂସ୍ଥା ସମ୍ପୃକ୍ତ ଯୁବକଙ୍କୁ ଗୁପ୍ତଚର ବୋଲି କହିଛି। ତେବେ ଏନେଇ ଚାଇନା ସେନା ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ସୂଚନାଯୋଗ୍ୟ, ଏହା ପୂର୍ବରୁ ମାର୍ଚ୍ଚରେ ଜଣେ ଯୁବକଙ୍କୁ ଚାଇନା ସୈନ୍ୟ ଅପହରଣ କରି ନେଇଥିଲେ। ସେ ୧୯ ଦିନ ପରେ ଘରକୁ ଫେରିଥିଲେ।

Share