ଚାଇନାରେ ତାଣ୍ଡବ ରଚିବ ‘ଡୋକସୁରି’! ଚଳିତ ବର୍ଷର ପଞ୍ଚମ ଘୂର୍ଣ୍ଣିଝଡ଼

ବେଜିଂ,୨୮।୭: ପ୍ରଶାନ୍ତ ମହାସାଗରେ ରବିବାର ସୃଷ୍ଟି ହୋଇଥିବା ‘ଡୋକସୁରି’ ଘୂର୍ଣ୍ଣିଝଡ଼ ଚାଇନାରେ ତାଣ୍ଡବ ରଚିବାକୁ ପ୍ରସ୍ତୁତ ହୋଇଗଲାଣି। ଏବେ ଚାଇନାରେ ଖୁବ ଜୋରରେ ପବନ ବହିବା ସହ ବର୍ଷା ଲାଗି ରହିଛି। କୁହାଯାଉଛି କି ଶୁକ୍ରବାର ଚଳିତ ବର୍ଷର ପଞ୍ଚମ ଘୂର୍ଣ୍ଣିଝଡ଼ ‘ଡୋକସୁରି’ ଚାଇନାରେ ପ୍ରବେଶ କରିପାରେ। ଏହାର ପ୍ରଭାବରେ ଭୂସ୍ଖଳନ ହୋଇପାରେ। ତେବେ ଏହାର ମୁକାବିଲା କରିବାକୁ ଚାଇନା ସରକାର ପ୍ରସ୍ତୁତ ହୋଇଗଲେଣି।

ଚାଇନାରେ ଏହି ଝଡ଼ର ବିପଦକୁ ଦୃଷ୍ଟିରେ ରଖି ଏକ ସତର୍କ ସୂଚନା ଜାରି କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନାବିକମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏଥିସହ କେତେକ ଉପକୂଳବର୍ତ୍ତୀ ସହରରେ ଏହି ଘୂର୍ଣ୍ଣିଝଡ଼ ଯୋଗୁଁ କାର୍ଯ୍ୟାଳୟ, ବିଦ୍ୟାଳୟ ଏବଂ କଲେଜ ବନ୍ଦ ରହିଛି। ଏଥି ସହିତ ସୋମବାର ଲାଗି ଚାଇନା ଅନେକ ସ୍ଥାନରେ ଅରେଞ୍ଜ ଆଲର୍ଟ ଜାରି କରିଛି।
ଚାଇନା ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ଟାଇଫୁନ ତାଇୱାନ ଷ୍ଟ୍ରାଇଟ ଦେଇ ଫୁଜିଆନ ପ୍ରଦେଶ ଆଡକୁ ଉତ୍ତର-ପଶ୍ଚିମ ଦିଗକୁ ଗଲା। ତେଣୁ ଘୂର୍ଣ୍ଣିବଳୟର ପବନର ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର (୧୧୨ ମାଇଲ) ଅତିକ୍ରମ କରେ। ଏହି ଝଡ଼ ଶୁକ୍ରବାର ପର୍ଯ୍ୟନ୍ତ ଅଧିକ ବିପଜ୍ଜନକ ହେବବୋଲି ଅନୁମାନ କରାଯାଇଛି।

Share