Categories: ଜାତୀୟ

ଅରୁଣାଚଳ ପ୍ରଦେଶରେ ୬୦ କୋଠା ନିର୍ମାଣ କରିଛି ଚାଇନା, ସାଟେଲାଇଟ୍‌ ଫଟୋ କଲା ପର୍ଦ୍ଦାଫାଶ୍‌…

ନୂଆଦିଲ୍ଲୀ,୧୮।୧୧: ଏଲ୍‌ଏସିରେ ଚାଇନାର ଅନୁପ୍ରବେଶ ଜାରି ରହିଛି। ଅରୁଣାଚଳ ପ୍ରଦେଶରେ ଚାଇନା ୬୦ କୋଠା ନିର୍ମାଣ କରିଛି। ସାଟେଲାଇଟ୍‌ ଫଟୋରୁ ଏହାର ପର୍ଦ୍ଦାଫାଶ୍‌ ହୋଇଛି। ପୂର୍ବରୁ ଚାଇନା ଏଠାରେ ପ୍ରଥମ କେତେକ କୋଠାଘର ନିର୍ମାଣ କରିଥିଲା। ୨୦୧୯ ମାର୍ଚ୍ଚ ୧୯ ସାଟେଲାଇଟ୍‌ ଫଟୋରେ ଏହା ଦେଖିବାକୁ ମିଳିଥିଲା। ତେବେ ୨୦୨୧ ସେପ୍ଟେମ୍ବର ୨୦ ସାଟେଲାଇଟ୍‌ ଫଟୋରେ ପୁଣି କେତେକ କୋଠାଘର ଏକ ଦ୍ୱିତୀୟ ଅଞ୍ଚଳରେ ନିର୍ମିତ ହୋଇଥିବା ଦେଖିବାକୁ ମିଳିଛି। ଏହି ନୂତନ କୋଠାଘର ଗୁଡ଼ିକ ଚାଇନା ଦ୍ୱାରା ନିର୍ମିତ ହୋଇଥିବା ପ୍ରଥମ କୋଠାଘରଗୁଡ଼ିକଠାରୁ ୯୩ କିଲୋମିଟର ପୂର୍ବରେ ଅବସ୍ଥିତ।

ଗଣମାଧ୍ୟମ ସଂସ୍ଥା ଏନ୍‌ଡି ଟିଭି ପକ୍ଷରୁ ଜାନୁଆରୀରେ ଏନେଇ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏହାର ୨ ଦିନ ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ପକ୍ଷରୁ ମଧ୍ୟ ଏସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଥିଲା। ଫଳରେ ଏଲଏସି ନିକଟରେ ଚାଇନା ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରୁଥିବା ନିଶ୍ଚିତ ହୋଇଥିଲା। ଏହି ରିପୋର୍ଟକୁ ନେଇ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏଭଳି ବେଆଇନ ଦଖଲକୁ ଭାରତ ଗ୍ରହଣ କରି ନାହିଁ କିମ୍ବା ଚାଇନାର ବେଆଇନ ଦାବିକୁ ମଧ୍ୟ ଗ୍ରହଣ କରି ନାହିଁ।

ଦ୍ୱିତୀୟ ନିର୍ମାଣ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ଏବଂ ଆନ୍ତର୍ଜାତୀୟ ସୀମା ମଧ୍ୟରେ ଭାରତରେ ପ୍ରାୟ ୬ କିଲୋମିଟର ଦୂରରେ ଅବସ୍ଥିତ। ଭାରତ ଏହାକୁ ସର୍ବଦା ନିଜର ଅଞ୍ଚଳ ବୋଲି ଦାବି କରିଆସୁଛି। କୋଠା ଗୁଡ଼ିକରେ କେହି ବସବାସ କରୁଛନ୍ତି କି ନାହିଁ ସେ ସମ୍ପର୍କରେ ସାଟେଲାଇଟ୍‌ ଫଟୋରୁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।
ଏକ ବର୍ଷ ପୂର୍ବେ ଲୋକ ସଭାରେ ଅରୁଣାଚଳ ପ୍ରଦେଶର ଭାଜପା ଏମ୍‌ପି ତାପିର ଗାଓ ଚାଇନା ଦ୍ୱାରା ହୋଇଥିବା ଜବର ଦଖଲ ଉପରେ ସୂଚନା ଉପସ୍ଥାପନ କରିଥିଲେ।

ନୂତନ ନିର୍ମାଣର ଫଟୋ ଚିତ୍ର ମ୍ୟାକ୍ସାର୍‌ ଟେକ୍ନୋଲୋଜି ଏବଂ ପ୍ଲାନେଟ ଲ୍ୟାବ ଦ୍ୱାରା ପ୍ରଦାନ କରାଯାଇଛି। ଅରୁଣାଚଳର ଶି-ୟୋମି ଜିଲ୍ଲାର ଏହି ଚିତ୍ରଗୁଡ଼ିକରେ କୋଠା ସହିତ କୋଠା ଉପରେ ଚାଇନାର ପତାକା ରହିଥିବା ଦେଖିବାକୁ ମିଳୁଛି।

Share