Categories: ଜାତୀୟ

ସୀମାରେ ପୋଲ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୩।୧: ଲଦାଖର ପୂର୍ବାଞ୍ଚଳରେ ପାଙ୍ଗଓଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳକୁ ଯୋଡ଼ିବା ପାଇଁ ଚାଇନା ଏକ ପୋଲ ନିର୍ମାଣ କରୁଛି। ଜିଓ ଇଣ୍ଟେଲିଜେନ୍ସ ବିଶେଷଜ୍ଞ ଡାମିଏନ ସାଇମନ ଟୁଇଟ୍‌ କରିଥିବା ସାଟେଲାଇଟ୍‌ ଫଟୋରେ ଏହା ଦର୍ଶାଇଛନ୍ତି।

ଯେଉଁସ୍ଥାନରେ ପୋଲର ନିର୍ମାଣ ଚାଲିଛି, ତାହା ଚାଇନାର ଭୂସୀମାର ଅଂଶ। ପାଙ୍ଗଓଙ୍ଗ ହ୍ରଦରେ ଉଭୟ କୂଳକୁ ଯୋଡ଼ିବା ପାଇଁ ଏହି ପୋଲ ନିର୍ମାଣ କରାଯାଉଛି। ଏହା ଦ୍ୱାରା ଚାଇନା ତା’ର ସୀମାରେ ଖୁବ୍‌ କମ୍‌ ସମୟ ମଧ୍ୟରେ ସୈନ୍ୟ ଏବଂ ଭାରୀ ଅସ୍ତ୍ରଶସ୍ତ୍ର ମୁତୟନ କରିପାରିବ।

ସାଇମନ ଟୁଇଟ୍‌ କରିଥିବା ସାଟେଲାଇଟ୍‌ ଫଟୋରେ ହ୍ରଦର ସଂକୀର୍ଣ୍ଣ ଅଞ୍ଚଳରେ
ପୋଲ ପ୍ରାୟତଃ ନିର୍ମାଣ ହୋଇସାରିଥିବା ଦେଖିବାକୁ ମିଳୁଛି।

ଗତବର୍ଷ ଚାଇନିଜ ସେନାଠାରୁ ଫାଇଦାରେ ରହିବା ପାଇଁ ପାଙ୍ଗଓଙ୍ଗ ହ୍ରଦର ଦକ୍ଷିଣରେ ଥିବା କୈଳାଶ ରେଞ୍ଜରେ ଭାରତୀୟ ସେନା ମୁତୟନ ହୋଇଥିଲେ। ୨୦୨୦ଠାରୁ ଉଭୟ ଦେଶର ୫୦ ହଜାରରୁ ଅଧିକ ସେନା ଲଦାଖର ପୂର୍ବାଞ୍ଚଳରେ ଡେପସାଙ୍ଗ ପ୍ଲେନରୁ ଉତ୍ତରକୁ ଏବଂ ଡେମଚୋକ ଅଞ୍ଚଳରୁ ଦକ୍ଷିଣ ପର୍ଯ୍ୟନ୍ତ ମୁତୟନ ଅଛନ୍ତି।

Share