ପାଙ୍ଗୋଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ କରୁଛି ଚାଇନା…

ବେଜିଂ, ୧୮।୫ : ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଚାଇନା ପାଙ୍ଗୋଙ୍ଗ ହ୍ରଦ ଉପରେ ଆଉ ଏକ ପୋଲ ନିର୍ମାଣ କରୁଛି । ଏହା ମାଧ୍ୟମରେ ଚାଇନା ଭାରୀ ଅସ୍ତ୍ରଶସ୍ତ୍ର ପରିବହନ କରିବାକୁ ସକ୍ଷମ ହେବ।

ଚାଇନା ଏଠାରେ ପ୍ରଥମ ପୋଲ ନିର୍ମାଣ ୨୦୨୧ ର ଶେଷ ଭାଗରେ ଆରମ୍ଭ ହୋଇଥିଲା ଏବଂ ଗତ ମାସରେ ସେହି ସେତୁ ନିର୍ମାଣ କାମ ଶେଷ ହୋଇଥିଲା। ନୂଆ ପୋଲ ନିର୍ମାଣ ଲାଗି ପାଉନା ପାଙ୍ଗୋଙ୍ଗ ହ୍ରଦ ଉପରେ ଥିବା ପୁରୁଣା ପୋଲକୁ ସର୍ଭିସ୍‌ ବ୍ରିଜ ଭାବରେ ବ୍ୟବହାର କରୁଛି ।

ଖବର ଅନୁଯାୟୀ ଚାଇନା ଏହାର କ୍ରେନ ନିୟୋଜନ ଏବଂ ଅନ୍ୟାନ୍ୟ ନିର୍ମାଣ ଉପକରଣ ଆଣିବା ପାଇଁ ପ୍ରଥମ ପୋଲ ବ୍ୟବହାର କରୁଛି। ଏହାର ଠିକ ପାଖରେ ଏକ ନୂତନ ପୋଲ ନିର୍ମାଣ କରାଯାଉଛି। ପୁରୁଣା ଅପେକ୍ଷା ବଡ଼ ଏବଂ ପ୍ରଶସ୍ତ। ଏହି ପୋଲର ନିମାଣ କାର୍ଯ୍ୟ ଗତ ୨୦ ଦିନ ଧରି ଚାଲିଛି। ଉଭୟ ପାର୍ଶ୍ୱରୁ ଏକକାଳୀନ ଭାବେ ନୂଆ ପୋଲ ନିର୍ମାଣ କରାଯାଉଛି।

ଏହି ପୋଲ ନିର୍ମାଣ ଦ୍ୱାରା ଖୁର୍ନକରୁ ରୁଦୋକ ପର୍ଯ୍ୟନ୍ତ ରାସ୍ତା ୪୦ର ୫୦ କିଲୋମିଟର ହ୍ରାସ ପାଇବ।
୧୩୫ କିଲୋମିଟର ଲମ୍ବ ପାଙ୍ଗୋଙ୍ଗ ହ୍ରଦର ଲଦାଖ ଏବଂ ତିବ୍ଦତର ଅଞ୍ଚଳ ଚାଇନା ଅଧୀନରେ ରହିଛି। ମେ’ ୨୦୨୦ ଠାରୁ ଏହି ଅଞ୍ଚଳରେ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ଦେଖାଦେଇଛି। ପୁରୁଣା ପୋଲ ଉପରେ ଚାଇନା କେବଳ ସୈନିକ ଏବଂ ହାଲୁକା ଯାନ ଆଣିବା ଳାଗି ବ୍ୟବହାର କରୁଥିଲା।

କିନ୍ତୁ ନୂତନ ପୋଲ ନିର୍ମାଣ ଦ୍ୱାରା ଚାଇନା ଓଜନିଆ ଯାନ ଗୁଡ଼ିକୁ ଏହା ଉପର ଦେଈ ଚଳାଚଳ କରାଇବ। ନୂଆ ପୋଲ ଚାଇନାର ସାମରିକ ଭିତ୍ତିଭୂମିର ଏକ ଅଂଶ ଭାବେ ପୂର୍ବ ଲଦାଖରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

Share