ଚାଇନା ତିଆରି କରୁଛି ‘ସୁପର ସୋଲଜର’: ଆମେରିକାର ବଢୁଛି ଚିନ୍ତା

ବେଜିଂ, ୬।୧୨: ଲଦାଖଠାରୁ ଆରମ୍ଭ କରି ତାଇଓ୍ବାନ୍‌ ପର୍ଯ୍ୟନ୍ତ ଚାଇନା ସମସ୍ତ ଅଞ୍ଚଳରେ ସୀମା ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି କରୁଛି। ତେବେ ଭବିଷ୍ୟତରେ ଯୁଦ୍ଧରେ ଶତ୍ରୁ ଉପରେ ସହଜ ବିଜୟ ପାଇଁ ଚାଇନା ସୈନ୍ୟ ବାହିନୀରେ ‘ସୁପର ସୋଲଜର’ଙ୍କୁ ସାମିଲ କରିବା ଲାଗି ଯୋଜନା କରୁଛି। ସୈନ୍ୟଙ୍କ ଗୁଣସୂତ୍ରରେ କେତେକ ବାୟୋଲୋଜିକାଲ ପରିବର୍ତ୍ତନ କରି ଚାଇନା ସେମାନଙ୍କୁ ଶକ୍ତିଶାଳୀ କରିବାକୁ ଉଦ୍ୟମ କରୁଛି। ଆମେରିକା ଫିଲ୍ମ ‘କ୍ୟାପଟେନ୍‌ ଆମେରିକା’ ଏବଂ ‘ୟୁନିଭର୍ସାଲ ସୋଲଜର’ ଭଳି ସୈନ୍ୟ ସୃଷ୍ଟି ଲାଗି ଚାଇନା ଯୋଜନାବଦ୍ଧ ଭାବେ ଶକ୍ତିଶାଳୀ ଗବେଷଣା ଜାରି ରଖିଛି ବୋଲି କୁହାଯାଉଛି। ଏବେ ଚାଇନା ଆମେରିକା ସହିତ ଫିଲ୍ମ ଷ୍ଟାଇଲରେ ମୁକାବିଲା କରିବା ଲାଗି ଏଭଳି ଯୋଜନା କରୁଥିବା କୁହାଯାଉଛି। ଏସମ୍ପର୍କରେ ଆମେରିକା ଗୋଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ଜନ୍‌ ରାଟ୍‌କ୍ଲିଫ୍‌ ଗଣମାଧ୍ୟମ ସଂସ୍ଥା ଓ୍ବାଲଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ହୋଇଥିବା ନିଜର ଏକ ରିପୋର୍ଟରେ ସୂଚନା ଦେଇଛନ୍ତି। ଆମେରିକା ସହିତ ବିଶ୍ୱର ସମସ୍ତ ରାଷ୍ଟ୍ରକୁ ନିଜ କବଳରେ ରଖିବା ପାଇଁ ଚାଇନା ଏଭଳି ଷଡ଼ଯନ୍ତ୍ର ରଚିଥିବା ଜନ୍‌ କହିଛନ୍ତି। ଏହା ସମଗ୍ର ମାନବ ସଭ୍ୟତା ପାଇଁ ବିପଦ ସୃଷ୍ଟି କରିବ। ଚାଇନା ଜିନ୍‌ ଏଡିଟିଙ୍ଗ୍‌ (ଗୁଣସୂତ୍ରରେ ପରିବର୍ତ୍ତନ) କରି ଶକ୍ତିଶାଳୀ ସୈନ୍ୟ ସୃଷ୍ଟି ପାଇଁ ଲଗାତାର କିଛି ବର୍ଷ ଧରି ଗବେଷଣା କରୁଥିବା ଜନ୍‌ କହିଛନ୍ତି। ଏସମ୍ପର୍କରେ ଚାଇନା ସୈନ୍ୟ ବାହିନୀର ଉଚ୍ଚ ଅଧିକାରୀ ୨୦୧୭ଠାରୁ କହି ଆସୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share