Categories: ଜାତୀୟ

‘ଇଞ୍ଚେ ଜାଗା ବି ନେଇପାରିବନି ଚାଇନା’

ନୂଆଦିଲ୍ଲୀ,୩୧ା୧୨ :ହିମବୀର ଥାଉ ଥାଉ ଚିନ୍ତା କରିବାର କିଛି ନାହିଁ। ଇଞ୍ଚେ ଜାଗା ବି ନେଇପାରିବ ନାହିଁ ଚାଇନା। ବେଙ୍ଗାଲୁରୁରେ ଶନିବାର ଆଇଟିବିପିର ଏକ ନୂଆ କାର୍ଯ୍ୟାଳୟ ଏବଂ ଆବାସିକ ଭବନକୁ ଉଦ୍‌ଘାଟନ କରିବା ସମୟରେ  କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏପରି କହିଛନ୍ତି। ଭାରତ-ଚାଇନା ସୀମା ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ଶାହା କହିଛନ୍ତି, ଭାରତର ଏକ ଇଞ୍ଚ ଜମି ଅକ୍ତିଆର କରିବାକୁ କେହି ସାହସ କରିବେ ନାହିଁ।

କାରଣ ଭାରତ-ଚାଇନା ସୀମାରେ ଆଇଟିବିପି ଯବାନମାନେ ପାଟ୍ରୋଲିଂ କରୁଛନ୍ତି। ଭାରତର ଏକ ଇଞ୍ଚ ଜାଗାକୁ କେହି ଛଡ଼ାଇ ନେଇ ପାରିବେ ନାହିଁ ବୋଲି ଶାହା କରିଛନ୍ତି। ଆଇଟିବିପିର ଏକ ନୂଆ କାର୍ଯ୍ୟାଳୟ ଏବଂ ଆବାସିକ ଭବନକୁ ଉଦ୍‌ଘାଟନ କରିବା ସମୟରେ ଶାହା ଏପରି କହିଛନ୍ତି।

ସେ କହିଛନ୍ତି, ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମଧ୍ୟରୁ ଆଇଟିବିପି ସବୁଠାରୁ କଠିନ ପରିସ୍ଥିତିରେ କାମ କରେ। ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ କଳ୍ପନା ମଧ୍ୟ କରିପାରୁନାହୁଁ -୪୨ ଡିଗ୍ରୀ ତାପମାତ୍ରାରେ ସେମାନେ ଦେଶକୁ ସୁରକ୍ଷା ଦେବା ପାଇଁ କେତେ ପରିଶ୍ରମ କରନ୍ତି।

ସେ କହିଛନ୍ତି, ମୁଁ ଉତ୍ତର ଭାରତର ଅରୁଣାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖର ସବୁଆଡ଼େ ଯାଇଥିଲି, ଯେଉଁଠାରେ ଭାରତର ଲୋକମାନେ ସୈନିକଙ୍କୁ ହିମବୀର୍‌ ବୋଲି ଡାକନ୍ତି। ଏହି ନାଁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଦିଆଯାଇଛି। ମୋ ହିସାବରେ ପଦ୍ମଶ୍ରୀ, ପଦ୍ମଭୂଷଣ ଅପେକ୍ଷା ହିମବୀର୍‌ ନାଁ ଦେଇ ସ୍ଥାନୀୟ ଲୋକ ସୈନିକଙ୍କୁ ଅଧିକ ସମ୍ମାନ ଦେଇଛନ୍ତି। ତେଣୁ ହିମବୀର ଥାଉ ଥାଉ ଚିନ୍ତା କରିବାର କିଛି ନାହିଁ।

Share