ବେଜିଂ, ୧୪।୧୧(ପି.ଟି.): ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ସହଯୋଗୀ ତଥା ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ଶେଷରେ ଚାଇନା ଅଭିନନ୍ଦନ ଜଣାଇଛି। ଆମେରିକୀୟଙ୍କ ପସନ୍ଦକୁ ବେଜିଂ ସମ୍ମାନ ଦିଏ ବୋଲି ଶୁକ୍ରବାର କହିଛି। ଆମେରିକା ନିର୍ବାଚନକୁ ନେଇ ଦେଶ ଭିତରେ ଓ ଅନ୍ତର୍ଜାତୀୟ ସମୁଦାୟରେ ଦେଖାଦେଇଥିବା ପ୍ରତିକ୍ରିୟାକୁ ଆମେ ଅନୁଧ୍ୟାନ କରୁଥିଲୁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ଙ୍କ ସମେତ ଅଧିକାଂଶ ବିଶ୍ୱ ନେତା ୭୭ ବର୍ଷୀୟ ବାଇଡେନ୍ଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ରିପପ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପରାଜୟ ମାନିବାକୁ ରାଜି ନ ହେବାରୁ ଚାଇନା ପ୍ରଥମେ ବାଇଡେନ୍ଙ୍କୁ ତାଙ୍କ ବିଜୟ ଲାଗି ଅଭିନନ୍ଦନ ଜଣାଇବାକୁ କୁଣ୍ଠା ପ୍ରକାଶ କରିଥିଲା।