Categories: ଜାତୀୟ

ଭାରତରେ ଜଳସଙ୍କଟ ସୃଷ୍ଟି ଲାଗି ଚାଇନାର ଷଡ଼ଯନ୍ତ୍ର: ନିର୍ମାଣ କରୁଛି ୧୦୦୦ କିମିର ସୁଡ଼ଙ୍ଗ

ନୂଆଦିଲ୍ଲୀ, ୧।୧୦: ଏଲ୍‌ଏସିରେ ଲଗାତାର ଚାଇନା ଉତ୍ତେଜନା ସୃଷ୍ଟି କରୁଛି। ଏହାଯୋଗୁ ଶାନ୍ତି ଆଲୋଚନା ପ୍ରୟାସ ବିଫଳରେ ହେବାରେ ଲାଗିଛି। ସେହିପରି ଭାରତରେ ଜଳସଙ୍କଟ ସୃଷ୍ଟି କରିବା ଲାଗି ଏବେ ଚାଇନା ଷଡ଼ଯନ୍ତ୍ର କରୁଛି। ଏନେଇ ବ୍ରହ୍ମପୁତ୍ର ନଦୀ ଅବବାହିକାରେ ଚାଇନା ୧୦୦୦ କିଲୋମିଟର ଲମ୍ବ ସୁଡ଼ଙ୍ଗ ପଥ ନିର୍ମାଣ କରୁଛି। ବ୍ରହ୍ମପୁତ୍ର ନଦୀ ଜଳକୁ ତିବ୍ବତର ପଠାରୁ ବାଟ ଦେଇ ତକଲମକାନ୍‌ ପର୍ଯ୍ୟନ୍ତ ନେବାକୁ ଚାଇନା ଯୋଜନା କରିଛି। ବ୍ରହ୍ମପୁତ୍ର ଏବଂ ସିନ୍ଧୁ ନଦୀ ଚାଇନାର ଶିଜିୟାଙ୍ଗ୍‌ ଅଞ୍ଚଳରେ ପ୍ରବାହିତ ହେଉଛନ୍ତି। ସିନ୍ଧୁ ନଦୀ ଲଦାଖ ଦେଇ ପାକିସ୍ତାନରେ ପ୍ରବେଶ କରିଛି। ଶିଜିୟାଙ୍ଗଠାରେ ଚାଇନା ନଦୀ ଅବବାହିକାରେ ସୁଡ଼ଙ୍ଗ ନିର୍ମାଣ କରୁଛି। ଏନେଇ ଆମେରିକା ଗଣ ମାଧ୍ୟମ ସଂସ୍ଥା ଇପୋଚ ଟାଇମ୍ସ୍‌ରେ ଖବର ପ୍ରକାଶ ପାଇଛି। ଲଣ୍ଡନର ସାଉଥ୍‌ ଏସିଆ ଇନଷ୍ଟିଚ୍ୟୁଟ୍‌ର ପ୍ରଫେସର ବୁରଜିନ୍‌ ଓ୍ବାଘମାରଙ୍କ ସହିତ ହୋଇଥିବା ଏକ ସାକ୍ଷାତ୍‌କାର ଏଥିରେ ପ୍ରକାଶିତ ହୋଇଛି। ଦକ୍ଷିଣ ପଶ୍ଚିମ ଶିଜିୟାଙ୍ଗ୍‌ରେ ଥିବା ତକଲମକାନ୍‌ ମରୁଭୂମିକୁ ଶସ୍ୟ ଶ୍ୟାମଳା କରିବା ଲାଗି ଚାଇନା ଏଭଳି ଷଡ଼ଯନ୍ତ୍ର ରଚିଛି। ତେବେ ଏହାଦ୍ୱାରା ଭାରତ ସହିତ ପାକିସ୍ତାନ ଏବଂ ବାଂଲାଦେଶରେ ଜଳ ସଙ୍କଟ ଦେଖା ଯିବ ବୋଲି ଓ୍ବାଘମାର କହିଛନ୍ତି। ଏହି ପରିଯୋଜନାରେ ୧୧୭୦ କୋଟି ଡଲାରରୁ ଅଧିକ ଖର୍ଚ୍ଚ ହେବ। ଏନେଇ ଚାଇନା ୨୦୧୭ରେ ୟୁନାନରେ ୬୦୦ ମିଟର ଲମ୍ବ ସୁଡ଼ଙ୍ଗର ନିର୍ମାଣ ଆରମ୍ଭ କରିଛି। ଚାଇନା ବ୍ରହ୍ମପୁତ୍ରର ସହାୟକ ନଦୀ ଶିଆବୁକୁର ଜଳ ଧାରାକୁ ବନ୍ଦ କରି ଦେଇଛି। ଗଲଓ୍ବାନ ଘାଟି ସଂଘର୍ଷ ପରେ ଚାଇନା ଭାରତରେ ଗଲଓ୍ବାନ ନଦୀ ଧାରା ପ୍ରବାହକୁ ମଧ୍ୟ ରୋକି ଦେଇଥିଲା। ଗଲଓ୍ବାନ ସିନ୍ଧୁର ଏକ ସହାୟକ ନଦୀ। କ୍ଲାଉଡେ ଅର୍ପିଙ୍କ ଅନୁସାରେ ପଶ୍ଚିମ ଲଦାଖରେ ସିନ୍ଧୁ ନଦୀ ପ୍ରବେଶ କରିବା ପୂର୍ବରୁ ଚାଇନା ଏହାର ଗତିପଥକୁ ଶିଜିୟାଙ୍ଗ୍‌ର ତାରିମ୍‌ ଘାଟି ଆଡ଼କୁ ବଦଳାଇବାର ଯୋଜନା କରୁଛି। ଏହି ସୁଡ଼ଙ୍ଗ ନିର୍ମାଣରେ ପ୍ରତି କିଲୋମିଟର ପିଛା ୧୪ କୋଟି ୭୩ ଲକ୍ଷ ଡଲାର ଖର୍ଚ୍ଚ ହେବ। ପ୍ରତିବର୍ଷ ୧୦ ଶହ କୋଟି ରୁ ୧୫ ଶହ କୋଟି ଟନ୍‌ ପାଣି ଚାଇନାକୁ ଯିବ। ଏହାକୁ ଚାଇନାର ୨୯ଟି ଜଳାଶୟରେ ରଖାଯିବ ବୋଲି କୁହାଯାଉଛି। ଏନେଇ ଭାରତ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ସହଯୋଗ ଲୋଡ଼ିବା ଆବଶ୍ୟକତା ରହିଥିବା ଅର୍ପି କହିଛନ୍ତି।

Share