ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣ ଜାରି ରଖିଛି ଚାଇନା: ପେଣ୍ଟାଗନ

ଓ୍ବାଶିଂଟନ,୧୫।୧୨: ଭାରତ ସହ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା କ୍ରମାଗତ ଭାବେ ସୈନ୍ୟ ସଂଖ୍ୟା ବଢ଼ାଇବା ସହ ସାମରିକ ଭିତ୍ତିଭୂମି କାର୍ଯ୍ୟ ଜାରି ରଖିଥିବା ଆମେରିକା ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ଭାରତ-ଚାଇନା ସୀମା ଉପରେ ଆମେରିକାର ପ୍ରତିରକ୍ଷା ବିଭାଗ ତୀକ୍ଷ୍ଣ ନଜର ରଖିଥିବା ଏହାର ପ୍ରେସ୍‌ ସଚିବ ବ୍ରିଗେଡିୟର ଜେନେରାଲ ପାଟ୍‌ ରାଇଡର କହିଛନ୍ତି। ଆମେରିକା ସହଯୋଗୀ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ଅଂଶୀଦାରମାନଙ୍କ ଅଞ୍ଚଳରେ ପ୍ରବେଶ କରିବା ଓ ଉତ୍ତେଜନା ସୃଷ୍ଟି କରିବା ଚାଇନାର ଏକ ଧାରାରେ ପରିଣତ ହୋଇଛି। ତେବେ ଆମେରିକା ଏହାର ସହଯୋଗୀମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଦେଇଥିବା ପ୍ରତିଶ୍ରୁତିରେ ଦୃଢ଼। ଉତ୍ତେଜନା ହ୍ରାସ ଲାଗି ଭାରତର ଉଦ୍ୟମକୁ ଆମେ ପୂର୍ଣ୍ଣ ସମର୍ଥନ କରୁଛୁ ବୋଲି ପେଣ୍ଟାଗନ୍‌ ପ୍ରେସ୍‌ ସଚିବ କହିଛନ୍ତି।

Share